ଦୁର୍ଗାପୂଜା ପାଇଁ କଟକରେ ଜୋର୍‌ଦାର୍‌ ପ୍ରସ୍ତୁତି

କଟକ: କଟକରେ ଦୁର୍ଗା ପୂଜା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ଏନେଇ ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। ତୋରଣ ଠୁ ଆରମ୍ଭ କରି ଲାଇଟ୍‌ ଗେଟ୍‌ ପର୍ଯ୍ୟନ୍ତ ଏସବୁକୁ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

ସେପଟେ ମା’ଙ୍କ ମୂର୍ତ୍ତି ଗଢ଼ା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତୋରଣ ଓ ସାଜସଜ୍ଜା କାମରେ ବ୍ୟସ୍ତ ଅଛନ୍ତି କାରିଗର। ଚଳିତବର୍ଷ ପୂଜାକୁ ଅତି ଆଡ଼ମ୍ବରରେ ପାଳନ କରିବା ପାଇଁ କମିଟି କର୍ମକର୍ତ୍ତାମାନେ ଜୋରସୋର୍‌ରେ ଲାଗିପଡ଼ିଛନ୍ତି।

ବାଦାମବାଡ଼ି ଶଙ୍କରପୁର ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୯ ଲକ୍ଷ ଟଙ୍କା ବ୍ୟୟରେ ନେପାଳର ବୌଦ୍ଧ ମନ୍ଦିର ନିର୍ମାଣ ହେଉଛି। ସେହିପରି ଖାନନଗର ପୂଜା ମଣ୍ଡପରେ ଗାଙ୍ଗଟକ୍‌ର ନାଥୁଲା ମନ୍ଦିର ସହ ସୀମାରେ ଥିବା ଭାରତୀୟ ଯବାନ କିପରି ଦେଶ ପାଇଁ ଲଢୁଛନ୍ତି, ତାର ପ୍ରତିଛବି ଦେଖିବାକୁ ମିଳିବ। ଏଥିପାଇଁ  ପୂଜା କମିଟି ପକ୍ଷରୁ ୬ ଲକ୍ଷ ଟଙ୍କା ବ୍ୟୟରେ  ତୋରଣ ନିର୍ମାଣ ହେଉଛି। 

ସେହିପରି ଶିଖରପୁର, ଯୋବ୍ରା, ଚାନ୍ଦିନୀଚୌକ ପୂଜା କମିଟି ଗୁଡ଼ିକ ପକ୍ଷରୁ ମଧ୍ୟ ଲକ୍ଷାଧିକ ଟଙ୍କାରେ ତୋରଣ ନିର୍ମାଣ କରାଯାଉଛି।

କଟକ ସହରରେ ଏବର୍ଷ ୧୬୦ଟି ମେଢ଼ ଦେଖିବାକୁ ମିଳିବ। ସେଥିରୁ ୨୪ଟି ମଣ୍ଡପରେ ଚାନ୍ଦିମେଢ଼ ଓ ୪ଟି ପୂଜା ମଣ୍ଡପରେ ମା’ଙ୍କ ପାଇଁ ସୁନା ମୁକୁଟ ମଧ୍ୟ କରାଯାଉଛି।

ପୂଜାକୁ ଆଖି ଆଗରେ ରଖି ସହରର ପରିମଳ ବ୍ୟବସ୍ଥା, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ସେବା ଯୋଗାଣ ସହ ରାସ୍ତାଘାଟର ମରାମତି ପାଇଁ ଶାନ୍ତି କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି।

You might also like