ରାଜଧାନୀରେ ଭସାଣ ଶୋଭାଯାତ୍ରା ନେଇ ରୁଟ୍‌ ଚାର୍ଟ

ଭୁବନେଶ୍ୱର : ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ସାରା ରାଜ୍ୟରେ ଚାଲିଛି ଭସାଣ ଉତ୍ସବ।  ପାରମ୍ପରିକ ବାଦ୍ୟ ଓ ଭବ୍ୟ ଶୋଭାଯାତ୍ରାରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି।

ରାଜଧାନୀ ଭୁବନେଶ୍ୱରର ୩ଟି ସ୍ଥାନରେ ଅନୁଷ୍ଠିତ ହେବ ଭସାଣ ଶୋଭାଯାତ୍ରା । ନୟାପଲ୍ଲୀ, ସହିଦ ନଗର ପଡ଼ିଆ ଓ ଉତ୍ତର ଭୁବନେଶ୍ୱର ମେଳଣ ପଡ଼ିଆରୁ ସହରର ୫୪ଟି ମେଢ଼ ବିଭିନ୍ନ ରୁଟ୍ ଦେଇ ବିସର୍ଜନ ସ୍ଥଳକୁ ଯିବେ। ଭୁବନେଶ୍ୱର ଉପକଣ୍ଠ କୁଆଖାଇ, ଦୟାନଦୀ ଏବଂ ଭାର୍ଗବୀ ନଦୀ କୂଳରେ ହୋଇଥିବା ଅସ୍ଥାୟୀ ପୋଖରୀରେ ମାଙ୍କ ମୃଣ୍ମୟୀ ମୂର୍ତ୍ତିର ହେବ ବିସର୍ଜନ। ଏଥିପାଇଁ ନୟାପଲ୍ଲୀ ମେଳଣ ପଡ଼ିଆରୁ ୧୫ଟି ମେଢ଼କୁ ଇସ୍କନ, ସିଆର୍‌ପି ଛକ, ଡିଏଭି ସ୍କୁଲ, ଗୋପବନ୍ଧୁ ଛକରୁ ଗଙ୍ଗନଗର ଦେଇ ଦୟାନଦୀ ଅସ୍ଥାୟୀ ପୋଖରୀ ଯାଏଁ ଶୋଭାଯାତ୍ରାରେ ନିଆଯିବ।

ସେହିପରି ସହିଦନଗର ମେଳଣ ପଡ଼ିଆରୁ ୧୮ଟି ମେଢ଼କୁ ଶୋଭାଯାତ୍ରାରେ ରୂପାଲି ଛକରୁ ରାଜମହଲ ଛକ, ଶିଶୁଭବନ ଛକ ଦେଇ କିଛି କୁଆଖାଇ ଏବଂ ଆଉ କିଛି ମେଢକୁ ଦୟାନଦୀର ଅସ୍ଥାୟୀ ପୋଖରୀକୁ ନିଆଯାଇ ବିସର୍ଜନ କରାଯିବ। ସେପଟେ ଉତ୍ତର ଭୁବନେଶ୍ୱର ମେଳଣ ପଡ଼ିଆରୁ ୨୧ଟି ମେଢ଼କୁ ନାଲକୋ ଛକରୁ ଜୟଦେବ ବିହାର ରାସ୍ତାରେ ଶୋଭାଯାତ୍ରାରେ ନେଇ କୁଆଖାଇରେ ବିସର୍ଜନ କରାଯିବ। ଅପରାହ୍ନ ୫ଟାରୁ ସଂଧ୍ୟା ୬ଟା ମଧ୍ୟରେ ଆରମ୍ଭ ହେବ ଶୋଭାଯାତ୍ରା।

ଲଟେରୀ ଅନୁଯାୟୀ, ମେଢ଼ ଗୁଡ଼ିକ ଶୋଭାଯାତ୍ରାରେ ବାହାରିବେ। ଭସାଣୀ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଟ୍ରାଫିକ୍ କଟକଣା ଲଗାଯାଇଛି। ସଂଧ୍ୟାରେ ମେଢ଼ ଗୁଡ଼ିକ ଯିବା ପର୍ଯ୍ୟନ୍ତ ବାଣୀବିହାରରୁ ଜନପଥ, ଜୟଦେବ ବିହାରରୁ ସିଆର୍‌ପି ଏବଂ ଡମଣା ଛକରୁ କଳିଙ୍ଗ ହସ୍ପିଟାଲ୍ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।

You might also like