କେନ୍ଦ୍ରାପଡ଼ା: ସରିଲା ଦୁର୍ଗାପୂଜା, ଧରାପୃଷ୍ଠରୁ ବିଦାୟ ନେଲେ ଜଗତ୍ଜନନୀ ମା’ ଦୁର୍ଗା। ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଦୁର୍ଗା ଭସାଣିରେ ରହିଛି ସ୍ୱତନ୍ତ୍ରତା।
ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ହରିବୋଲ ହୁଳହୁଳି ଧ୍ୱନି ଭିତରେ ମା’ଙ୍କୁ ଆଣି ହଂସୁଆ ନଦୀରେ ଥିବା ସୁସଜ୍ଜିତ ଡଙ୍ଗାରେ ଭକ୍ତମାନେ ଅଶ୍ରୁଳ ବିଦାୟ ଦେଇଥାନ୍ତି।
ପ୍ରଥମେ ଗୋପାଳକମାନେ ମା’ଙ୍କୁ କାନ୍ଧରେ ବୋହିନେଇ ବଜାର ପରିକ୍ରମା କରିଥାନ୍ତି। ପରିକ୍ରମା ପରେ ହଂସୁଆ ନଦୀରେ ଥିବା ଡଙ୍ଗାରେ ସାତ ଘେରି ଚାପ କରିଥାନ୍ତି।
ଦୁର୍ଗାଙ୍କ ସହ ଗଳିଦାଣ୍ଡର ବନଦୁର୍ଗା, ସାନ ବଡ଼ ଗୋପାଳପୁରର ମା’ ଶାରଳା, ମାଛ ମାର୍କେଟର ଗଙ୍ଗା ମାତାଙ୍କୁ ମଧ୍ୟ ବିସର୍ଜନ କରାଯାଏ। ନଦୀ ଭିତରେ ଏହି ବିରଳ ଭସାଣି ଉତ୍ସବ ଦେଖିବାକୁ ରାଜନଗର ଓ ଏହାର ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।
ଭସାଣି ଉତ୍ସବ କିଭଳି ଭାବରେ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହେବ ସେନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା।