ଖାଦ୍ୟ ନାଁରେ ଅଖାଦ୍ୟ, ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର : କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି କାରବାର ।  ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଛି । ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି । ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି  । କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିଲା ବୋଲି କହିଛନ୍ତି । ଏହାସହ ସେ ଗଞ୍ଜାମ ଜିଲ୍ଲା ଓ ଛତିଶଗଡ଼ର ରାୟପୁରରେ ଏହି ନକଲି ସାମଗ୍ରୀ ବିକ୍ରି କରୁଥିଲା ବୋଲି ସ୍ୱୀକାର କରିଛନ୍ତି ।

ତେବେ ପୋଲିସ ଏହି ଫ୍ୟାକ୍ଟ୍ରି ପାଖରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ମସଲା ତିଆରି କରୁଥିବା ଆଉ ୨ଟି କାରଖାନାରେ ମଧ୍ୟ ଚଢ଼ଉ କରିଛି ।  ଲକ୍ଷ୍ମୀ ନୃସିଂହ ସପ୍ତମ ଲେନ୍ ଓ ଥାନା ସମ୍ମୁଖରେ ଥିବା ନୂଆ ରାଜା ସାହିରେ ଥିବା ୨ଟି ମସଲା ଫ୍ୟାକ୍ଟ୍ରି ଉପରେ ଚଢ଼ଉ ହୋଇଛି  । ଏଠାରୁ କାଠ ଗୁଣ୍ଡ, ତସୁ ଓ ରାସାୟନିକ ସାମଗ୍ରୀ ଜବତ ହୋଇଛି । ନକଲି ମସଲା ତିଆରି କାରଖାନା ଚାଲିଥିବା ଖବର ପାଇ ବଡ଼ ବଜାର ଥାନା ଓ ଗୋଶାଣି ନୂଆଗାଁ ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରିଥିଲେ ।

ରାଜ୍ୟରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ଏବେ ରାଜ୍ୟ ପୋଲିସର ଚିନ୍ତାର କାରଣ ସାଜିଛି । ଗତକାଲି ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରୁ  ନକଲି ସସ୍ ଓ ଆଚାର ଜବତ ହୋଇଥିଲା । ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଅଖାଦ୍ୟ। ଆଉ ସେସବୁକୁ ମନଲୋଭାଣିଆ ପ୍ୟାକିଂ କରି କମ୍ ଦାମରେ ମାର୍କେଟକୁ ଛାଡ଼ୁଥିଲା ପି.କେ. ଫୁଡ୍ସ ପ୍ରଡକ୍ଟ।  ଟମାଟୋ ସସ୍, ହେଲେ ନଥିଲା ଟମାଟୋର ନାଁ ଗନ୍ଧ। ଟମାଟୋ ବଦଳରେ ବ୍ୟବହାର ହେଉଥିଲା ଏକ ପ୍ରକାର ସେମି ଲିକୁଇଡ଼୍ ।

ଏହାପରେ ଖୋଲା ମେଲାରେ ଏହାକୁ ପକାଇ ଦିଆଯାଉଥିଲା ଆଚାର ଓ ସସକୁ ଗାଢ ନାଲି କରିବାରୁ ୟୁନିଟରେ ବ୍ୟବହାର ହେଉଥିଲା କିଛି କେମିକାଲ । ସେପଟେ ଆଚାର କଣ୍ଟେନର୍ ସାରା ସାଲୁବାଲୁ ପୋକ। କେବଳ ଲଙ୍କା ନୁହେଁ ୟୁନିଟ୍ ସାରା ଆଖି ବୁଲାଇ ଆଣିଲେ ଯେତେ କଣ୍ଟେନରରେ ଲୁଣ, ଭିନେଗାର ଓ ଆମ୍ବ ପଡ଼ି କଞ୍ଚାମାଲ ଗଚ୍ଛିତ ଅଛି ସବୁ ବହୁ ପୁରୁଣା ଓ ଖାଦ୍ୟ ଅନୁପୋଯୋଗୀ।

You might also like