ଭୁବନେଶ୍ୱର ପରେ ବ୍ରହ୍ମପୁରରୁ ନକଲି ସସ୍ ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାଜଧାନୀ ଭୁବନେଶ୍ୱର ପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ହୋଇଛି। ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ ଲାଇନରେ ଥିବା ଏହି ନକଲି ସସ୍ ଫ୍ୟାକ୍ଟ୍ରିକୁ ଗତକାଲି ପୋଲିସ୍‌ ଠାବ କରିଛି।

ଫ୍ୟାକ୍ଟ୍ରିରୁ ବିପୁଳ ପରିମାଣର ଅପମିଶ୍ରିତ ଟମାଟୋ, ଚିଲି ଓ ସୋୟା ସସ୍ ଜବତ କରିଛି। ସହରର ବିଭିନ୍ନ ସ୍ଥାନକୁ ଏହି ଅପମିଶ୍ରିତ ସସ୍ ପଠାଯାଉଥିବା ପୋଲିସ୍‌ କହିଛି। ଏହି ଅପମିଶ୍ରିତ ସସ୍‌ ବୋତଲରେ ବିଭିନ୍ନ ନାମୀଦାମୀ କମ୍ପାନୀର ଷ୍ଟିକର ଲଗାଯାଇ ବଜାରକୁ ବିକ୍ରି ପାଇଁ ଛଡ଼ାଯାଉଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍ ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସହରର ଅନ୍ୟ କେଉଁଠି ଏଭଳି ଅପମିଶ୍ରିତ କାରଖାନା ଚାଲିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ସୂଚନାଥାଉ କି, ଏହାପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସ୍‌ର ସ୍ପେଶାଲ ସ୍କ୍ୱାଡ୍‌  ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଚଢ଼ଉ କରି ଶହ ଶହ କିଲୋ ନକଲି ସସ୍ ଓ ଆଚାର ଜବତ କରିଥିଲେ। ବହୁ ଦିନ ଧରି ଆଚାର ପ୍ରସ୍ତୁତ କରିବା ପରେ ଏହାକୁ ଅପରିଷ୍କାର ଭାବେ ରଖାଯାଇଥିବା ଜଣାପଡ଼ିଥିଲା। ଏପରିକି କିଛି ଆଚାର କଣ୍ଟେନର୍‌ରେ ପୋକ ଲାଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାସହ ବହୁ ପରିମାଣର ରାସାୟନିକ ସାମଗ୍ରୀ ମିଶାଇ ଏହାକୁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଥିଲା।  ବହୁ ପରିମାଣର ସସ୍ ବି ଜବତ ହୋଇଥିଲା।

You might also like