ଟଙ୍କା ଦେଇ ବିଷ କିଣା: ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଚାଲିଛି ସାଂଘାତିକ ଖେଳ

କଟକ: ଟମାଟ୍ ସସ୍, ତରକାରୀ ମସଲା, ସ୍ୱାସ୍ଥ୍ୟକାରୀ ଘିଅ କି ମୁଖବିଳାସ ପାଇଁ ଜର୍ଦ୍ଦା ଯାହାକୁ ଖାଇବେ ସିଏ ଭେଜାଲ୍। ବଟଲ ହେଉ କି ପଲି ପ୍ୟାକ୍ ନାମୀ ବ୍ରାଣ୍ଡ ନାଁରେ କିଣିବା ବେଳେ କୋଉଟା ଅସଲି, କୋଉଟା ନକଲି ଜାଣିବା ମୁସ୍କିଲ। ଗ୍ରାହକ ତ ଗ୍ରାହକ, ଖୋଦ୍ ଖୁଚୁରା ବ୍ୟବସାୟୀ ବି ଚିହ୍ନି ପାରୁନାହାନ୍ତି ଅରଜିଲାନ୍ କି ଡ୍ୟୁପ୍ଲିକେଟ୍। ଗଲା କିଛି ଦିନ ଭିତରେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଯେତେସବୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କାରଖାନା ଠାବ ହେଲାଣି, ତାକୁ ନେଇ ଛାନିଆ ସାଧାରଣ ଜନତା। କହିବାକୁ ଗଲେ ସିଧାସଳଖ ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଚାଲିଛି ସାଂଘାତିକ ଖେଳ।

କେମିତି-ଗୋଟିଏ ପରେ ଗୋଟିଏ ଚିତ୍ର ଆପଣଙ୍କ ସାମ୍ନାରେ ଶୁଦ୍ଧ ଘିଅ ବୋଲି ଯାହାକୁ ଭାବୁଛେ, ଦେଖନ୍ତୁ କେମିତି ମିଶୁଛି ପାମୋଲିନ୍ ତେଲ। ଭଲ ହଳଦୀଗୁଣ୍ଡ କି ଲଙ୍କା ଗୁଣ୍ଡ ବୋଲି ଯାହାକୁ କିଣୁଛେ ଦେଖନ୍ତୁ କେମିତି ସେଥିରେ ମିଶୁଛି ପୋକରା ଚାଉଳ ଗୁଣ୍ଡ ସାଙ୍ଗକୁ ହାନୀକାରକ ରଙ୍ଗ ଆଉ ସୁଆଦିଆ ସସ୍‌ରେ ତ ସିଧାସଳଖ ମିଶୁଛି ଅମୃତଭଣ୍ଡା, ନହେଲେ କଖାରୁ ପେଷ୍ଟ।

ସେମିତି ନକଲି ଜର୍ଦ୍ଦା ତିଆରି ହେଉଛି ଶୁଖିଲା ଅମୃତଭଣ୍ଡାପତ୍ର ସାଙ୍ଗକୁ ସେଣ୍ଟରେ। ତେବେ ସବୁଠୁ ଅଧିକ ଭେଜାଲ୍ ଜିନିଷ କୁଆଡ଼େ ପୂଜା ସାମଗ୍ରୀ ଦୋକାନରେ ମିଳୁଥିବା ଅଭିଯୋଗ ଗଙ୍ଗାଜଳ, କର୍ପୂର, ଚୁଆ, ମହୁ ଓ ଘିଅ ଭଳି ସାମଗ୍ରୀ ଭିତରୁ ଯାହାକୁ ଛୁଇଁବେ ସିଏ ଭେଜାଲ୍। ଖୁଚୁରା ବ୍ୟବସାୟୀ ହୁଅନ୍ତୁ କି ସାଧାରଣ ଖାଉଟି, ସମସ୍ତେ ଟେନସନ୍‌ରେ।

ବଜାରରେ ବେଫିକର ବିକ୍ରି ଚାଲିଛି ଭେଜାଲ ଖାଦ୍ୟ ସାମଗ୍ରୀ। ଟଙ୍କା ଦେଇ କିଣା ହେଉଛି ବିଷ ଗଭୀର ହାନିକାରକ। ଏସବୁ ଜିନିଷ ଖାଇଲେ କଣ ହେବ ଶରୀର ଅବସ୍ଥା? ତାକୁ ନେଇ ଘାରିଲାଣି ଚିନ୍ତା। ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଏସବୁ ସାମଗ୍ରୀ ଖାଦ୍ୟ ଆକାରରେ ସିଧାସଳଖ ଶରୀର ଭିତରକୁ ଯାଉଥିବାରୁ ଯକୃତ ଉପରେ ସାଂଘାତିକ ପ୍ରଭାବ ପକାଇବ। ଦରକାର ପଡ଼ିଲେ ଲିଭର କ୍ୟାନସରରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ଅଧିକ। ତାସହ ଏସବୁ ଅପମିଶ୍ରିତ ସାମଗ୍ରୀ ହଜମ ଶକ୍ତିକୁ ଦୁର୍ବଳ କରିବା ସହ ଗ୍ୟାସ୍ ଜନିତ ରୋଗ ମଧ୍ୟ ସୃଷ୍ଟି କରିପାରେ। ଯାହାଫଳରେ ହାର୍ଟ ଓ ଲିଭର ଅକାମୀ ହେବା ସହ ମାରାତ୍ମକ କର୍କଟ ରୋଗ ମଧ୍ୟ ସୃଷ୍ଟି କରିବ। ତେଣୁ ପ୍ରାଥମିକ ସ୍ତରରୁ ଏହାକୁ ରୋକାଯିବା ଦରକାର।

ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କ କଥା ଛାଡ଼ନ୍ତୁ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ମାଲଗୋଦାମ ଅଞ୍ଚଳ ସମେତ ଜଗତପୁର ଶିଳ୍ପାଞ୍ଚଳରୁ ଗତ ୨ ମାସରେ ୧୫ଟି ଖାଦ୍ୟ ଅପମିଶ୍ରିତ କାରଖାନା ଠାବ ହେବା ସହ ୧୬ଜଣଙ୍କୁ ଗିରଫ କରାଗଲାଣି।

You might also like