ବିଶ୍ୱାସ ନାଁର ବିଷ ବେପାରର ରାକେଟ୍; କଟକରୁ କଣ୍ଟାବାଞ୍ଜି, ଓ କ୍ୟାପିଟାଲ୍ ଚାରିଆଡ଼େ ଅପମିଶ୍ରିତ ଖାଦ୍ୟର ଜାଲ

ଭୁବନେଶ୍ୱର: ରାଜ୍ୟରେ ହାଉଜାଉ ଭେଜାଲ୍ ମାଲ୍। ଖାଦ୍ୟରେ ମିଶୁଛି ବିଷ, ବିଷ ବିକ୍ରି କରି ମାଲାମାଲ୍ ହେଉଛନ୍ତି ବେପାରୀ। କଟକରୁ କଣ୍ଟାବାଞ୍ଜି, କଣ୍ଟାବାଞ୍ଜିରୁ କ୍ୟାପିଟାଲ୍। ଚାରିଆଡ଼େ ବିଛାଇ ହୋଇଛି ଅପମିଶ୍ରଣ ଖାଦ୍ୟଦ୍ରବ୍ୟର ଜାଲ। ମିକ୍ସରଠୁ ଖାଇବା ତେଲ, ମସଲାଠୁ ପୂଜାଘିଅ ଯାଏଁ ସବୁ ନକଲି।  ଯେତେ ଚଢ଼ାଉ କିମ୍ବା ଧରପଗଡ଼ କଲେ ବି ଥମୁନି ବିଶ୍ୱାସ ନାଁରେ ଏଭଳି ବିଷ ବେପାର।

ବିଶ୍ୱାସ ନାଁରେ ବିଷ ବେପାରର ରାକେଟ୍ ଚଳାଇଛନ୍ତି ଠକ। କଟକ ପରେ ଭୁବନେଶ୍ୱରରେ ନକଲି ମାଲ୍‌ର କାରବାର ଘଟଣା ସାମ୍ନାକୁ ଆସିଛି। ସୁନ୍ଦରପଦାର କୈବଲ୍ୟ ନଗରରେ ନକଲି ଘିଅ ତିଆରି କାରଖାନା ଠାବ ହୋଇଛି। ଏହି କାରକାନାର ଲୋଗୋ ଅସଲି, କିନ୍ତୁ ମାଲ୍ ପୂରାପୂରି ଭେଜାଲ୍।

ଏୟାରଫିଲ୍ଡ ଥାନାରୁ ମାତ୍ର ଅଳ୍ପ ଦୂରରେ ଲୁଚାଛପାରେ ଚାଲିଥିଲା ଏହି ନକଲି ଘିଅ ବେପାର। ବାଲାଜୀ ଏବଂ ଦୁର୍ଗା ଘିଅ ବ୍ରାଣ୍ଡର ଲେବଲ୍ ସହ ଶୁଦ୍ଧ ଘିଅର ଲେଖାମାରି ଖାଉଟୀଙ୍କ ଆଖିରେ ଧୂଳିଦେଇ ବେଆଇନ କାରବାର ଚଳାଇଥିଲା ଅଭିମନ୍ୟୁ ପୃଷ୍ଟି ନାମକ ଜଣେ ବ୍ୟକ୍ତି।

ଅଭିମନ୍ୟୁ ତା କାରଖାନାରେ ପାମୋଲିନ୍ ତେଲ, ବନସ୍ପତି, କୁକୁମ ମଞ୍ଜିର ମିଶ୍ରଣ କରି ତିଆରି କରୁଥିଲା ନକଲି ଘିଅ। ରଙ୍ଗ, ସ୍ୱାଦ ଆଉ ବାସ୍ନା ପାଇଁ ବ୍ୟବହାର କରୁଥିଲା ରସାୟନିକ ଦ୍ରବ୍ୟ। ଆଉ ତାପରେ ପୂଜା ଘିଅ ନାଁରେ ମାର୍କେଟ୍‌କୁ ଛାଡ଼ି ସେ ମାଲାମାଲ୍ ହେଉଥିଲା। କିନ୍ତୁ ମନ୍ଦରେ ପରିଣାମ ଯେ ସବୁବେଳେ ମନ୍ଦ ହୋଇଥାଏ ତାହା ଜଣାନଥିଲା ଅଭିମନ୍ୟୁ କୁ। ଶେଷରେ ପୋଲିସ ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ହାତରେ ଧରାପଡ଼ିଲା ଏହି ବିଷ ବେପାରୀ।

ଏହି ଘଟଣା ସମ୍ପର୍କରେ ଜାଣିବା ପାଇଁ ଅଭିଯୁକ୍ତ ଅଭିମନ୍ୟୁ ପୁଷ୍ଟିକୁ ପ୍ରଶ୍ନ କରିଥିଲେ ସାମ୍ବାଦିକ। ଯବାବରେ ଅଭିମନ୍ୟୁ କହିଥିଲା ମଣିଷ ମାତ୍ରକେ ଭୁଲ୍ ତ ନିଶ୍ଚୟ ଅଛି। ତେବେ ମୁଁ କଣ ଭୁଲ କରିଛି ଜାଣିପାରୁନି। ତେବେ ଦୀପ ଜାଳିବା ପାଇଁ ଏହି ଘିଅ ତିଆରି ହୋଇଛି ଖାଇବା ପାଇଁ ନୁହେଁ ବୋଲି କହିଛି ଅଭିମନ୍ୟୁ। ତେବେ ଏହି ଘିଅକୁ ଖାଇଲେ ହାର୍ଟଆଟାକ ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର କହିଛନ୍ତି।

ଅନ୍ୟପଟେ ଦିନେ ନକଲି ଔଷଧ ପାଇଁ ଅପଯଶ ଅର୍ଜନ କରିଥିବା ପଶ୍ଚିମ ଓଡ଼ିଶାର ଅନ୍ୟତମ ବାଣିଜ୍ୟ କେନ୍ଦ୍ର କଣ୍ଟାବାଞ୍ଜି ଏବେ ପୁଣି ନକଲି ଖାଦ୍ୟ ପାଇଁ ଚର୍ଚ୍ଚା ଘେରକୁ ଆସିଛି। ଖାଦ୍ୟ ସାମଗ୍ରୀ ଅପମିଶ୍ରଣର ପୁଣି ଥରେ ହୋଇଛି ଖୁଲାସା।

ଏଠାର ଏକ ମିକ୍ସଚର କାରଖାନାର ଜିଏସ୍‌ଟି ପଂଜୀକରଣ ଗୋଟିଏ ନାଁରେ ହୋଇଛି। କିନ୍ତୁ ଭିନ୍ନ ଭିନ୍ନ ନାଁରେ ଲେବଲ୍ ମାରି ଚଢ଼ା ଦରରେ ବିକ୍ରି ହେଉଛି ମିକ୍ସଚର। ଏପରିକି କାରଖାନାର କୌଣସି ଲାଇସେନ୍ସ ନଥିଲା। ମିକ୍ସର ଫ୍ୟାକ୍ଟ୍ରିରେ ଚଢ଼ାଉ ପରେ ବଲାଙ୍ଗିର ଫୁଡ୍ ଇନ୍ସପେକ୍ଟର ବିଶ୍ୱଜିତ ସିଙ୍କୁ କହିଛନ୍ତି “ମିକ୍ସରେ ଫ୍ୟାକ୍ଟ୍ରିରେ ଫୁଡ୍ କଲର ମିଶୁଛି। ଯାହା ମିଶିବା କଥା ନୁହେଁ, ତାଙ୍କୁ ଡକ୍ୟୁମେଣ୍ଟ ମାଗିଲେ ବି ଦେଇପାରିଲେ ନାହିଁ।”

ସେହିପରି ଚଟୁଅନକା ନିକଟ ଲକ୍ଷ୍ମୀ ସେଲ୍ସ ତେଲ କାରଖାନାରେ ବି ବିଭିନ୍ନ ବ୍ରାଣ୍ଡ ନାଁରେ ରିପ୍ୟାକିଂ କରି ବିକ୍ରି ହେଉଥିଲା ଖାଇବା ତେଲ। ସଂଜୟ ଅଗ୍ରୱାଲଙ୍କ ବାବା ସେଲ୍ସ ଓ ଭାରତ ସେଲ୍ସ ଗୋଦାମରେ ବି ଠାବ ହୋଇଥିଲା ହଜାର ହଜାର ନକଲି ତେଲ ଟିଣ।

ଅସଲି କଂପାନୀର ଫ୍ୟାକ୍ଟ୍ରି ରାୟପୁର ବଦଳରେ କଣ୍ଟାବାଞ୍ଜିରେ ନକଲି ମାଲ୍ ପ୍ୟାକିଂ କରାଯାଉଥିଲା। ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏଭଳି ଏକାଧିକ କାରଖାନାରେ ଚଢଉ କରି ମାଲିକଙ୍କୁ ଜୋରିମାନା ସହ ମାମଲା ରୁଜୁ କରିଛି ପୋଲିସ।

ଏନେଇ ବଲାଙ୍ଗୀର ଏସ୍‌ପି କୁଶଲକର ନୀତିନ ଡାଗୁଡୁ କହିଛନ୍ତି “୬ ଜାଗାରେ କଣ୍ଟାବାଞ୍ଜୀ IIC ଓ ଏସ୍‌ଇପିଓ ଚଢ଼ାଉ କରିଥିଲେ। ସେହିସବୁ ସ୍ଥାନରେ ଖାଦ୍ୟ ନିରାପତ୍ତା ନିୟମର ଉଲ୍ଲଂଘନ ହୋଇଥିଲା। ତା ସହିତ  ଅନେକ ସ୍ଥାନରେ ପଞ୍ଜୀକରଣ ହୋଇନି।” ତେବେ ଖୁବ୍‌ଶୀଗ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଏସ୍‌ପି।

 

 

You might also like