ପୁଣି ଥରେ କଟକରୁ ବାହାରିଲା ନକଲି ସାମଗ୍ରୀ: ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାକ୍ଟ୍ରି
କଟକ: ସିଲଭର ସିଟିରେ ଭେଜାଲ ସାମଗ୍ରୀ ହାଉଜାଉ। କିହବାକୁ ଗଲେ ଏବେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍ ପାଲଟିଛି କଟକ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କଟକରୁ ବାହାରିଛି ନକଲି ସାମଗ୍ରୀ। କଟକ ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାଟ୍ରି। ତର୍କିତ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ବସ୍ତାକୁ ଜବତ କରିଛି ପୋଲିସ।
ଭଡ଼ା ଘର ନେଇ ଗୋଦାମ ଚଲାଇଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି। ଗତ କିଛି ବର୍ଷ ଧରି ଏଠି ନାମୀ ଦାମି ବ୍ରାଣ୍ଡର ସିମେଣ୍ଟ ବସ୍ତାରେ ଖରାପ, ଅପମିଶ୍ରିତ ଏବଂ ନକଲି ସିମେଣ୍ଟ ଭର୍ତ୍ତି କରାଯାଇ ବିକ୍ରି କରାଯାଉଥିଲା। ଅନେକ ଦିନ ଧରି ବେଧଡ଼କ ଏହି ବେପାର ଚାଲୁଥିବା ଜଣାପଡ଼ିଛି। ତେବେ ଏହା କେଉଁ ଅଞ୍ଚଳରେ ବିକ୍ରି ହେଉଥିଲା ଏବଂ ଏଥିରେ କିଏ କିଏ ସାମିଲ ତାକୁ ନେଇ ଖୋଳତାଡ଼ ଜାରି ରହିଛି।
#କଟକରେ_ନକଲି_ସିମେଣ୍ଟ_ଫ୍ୟାକ୍ଟ୍ରି
ପୁଣି ଥରେ କଟକରୁ ବାହାରିଛି ନକଲି ସାମଗ୍ରୀ। ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାକ୍ଟ୍ରି। ବିପୁଳ ପରିମାଣର ନକଲି ସିମେଣ୍ଟ ବସ୍ତାକୁ ଜବତ କରିଛି ପୋଲିସ୍। #Cuttack #Odisha pic.twitter.com/PSrENcAFlE— ଓଟିଭି (@otvkhabar) February 23, 2021
ରାଜ୍ୟରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ଏବେ ରାଜ୍ୟ ପୋଲିସର ଚିନ୍ତାର କାରଣ ସାଜିଛି । ନକଲି କାରବାରର ଚେର ସାରା ରାଜ୍ୟରେ ମାଡ଼ି ଯାଇଛି। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ।ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍ସନ୍ରେ ପଡ଼ିଯାଇଛନ୍ତି ଖାଉଟି। ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। ତେବେ ଏସବୁ ଜଣାପଡ଼ିବା ପରେ ନକଲି କାରବାରର ପେଣ୍ଠସ୍ଥଳୀ ପାଲଟିଥିବା କଟକ ପରେ ରାଜଧାନୀରେ ବି ଭେଜାଲ ବ୍ୟବସାୟୀଙ୍କୁ ଗିରଫ କରୁଛି ପୋଲିସ୍।