ଓଡ଼ିଆ ସିନେମାରେ ଗୀତ ଗାଇବେ ଡୁଲେ ରାପର

ଭୁବନେଶ୍ୱର: ଖପର ଘରର ରାପରଙ୍କୁ ଓଲିଉଡ୍‌ ଅଫର। ଓଡ଼ିଆ ସିନେମାରେ ଗୀତ ଗାଇବେ କଳାହାଣ୍ଡିର ଡୁଲେ ରାପର। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଡୁଲେଶ୍ଵର ତାଣ୍ଡିଙ୍କୁ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

ଓଡ଼ିଆ ରାପ୍‌ ଗାଇ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ‌ ହୋଇଥିବା ଡୁଲେଶ୍ୱର ତାଣ୍ଡି ପ୍ରେମାନନ୍ଦଙ୍କ ଆଗାମୀ ଚଳଚ୍ଚିତ୍ରରେ ‘ଜିଓ ଵାଲା ଆଣ୍ଟି’ ନାମର ଏକ କମର୍ସିଆଲ୍‌ ଗୀତ ଗାଇବେ। ଡୁଲେଙ୍କ ସହିତ ସୁନ୍ଦରଗଡ଼ର ଝିଅ ସ୍ଵର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ ମଧ୍ୟ ଏହି ଗୀତରେ କଣ୍ଠଦାନ କରିବେ। ‘ଜିଓ ଵାଲା ଆଣ୍ଟି ‘ ଶୀର୍ଷକ ଏହି କାମର୍ସିଆଲ ଗୀତଟିକୁ ଲେଖିଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ।

ଶୁନୋ ସର୍କାର ରାପ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଡୁଲେ ରାପର। ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଵିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ଵରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ବିଶାଲ ଦଦଲାନି ତାଙ୍କୁ ବଲିଉଡରେ ଗାଇବାକୁ ଅଫର ଦେଇଥିଲେ ବି ଦୁଲେ ରାପରଙ୍କ ସ୍ୱପ୍ନ ଥିଲା ଓଡ଼ିଆ ସିନେମାରେ ଗୀତ ଗାଇବା। ଆଉ ତାଙ୍କର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ମେଲୋଡି କିଂ ପ୍ରେମ ଆନନ୍ଦ।

ଅନେକ ଓଡ଼ିଆ ସିଙ୍ଗରଙ୍କୁ ସୁଯୋଗ ଦେଇଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇ ପ୍ରଶଂସିତ ହୋଇଥିଲେ। ତେବେ ଆସନ୍ତାକାଲି ଦିନ ୧୧.୩୦ରେ ଟଙ୍କପାଣି ରୋଡ ସ୍ଥିତ ସ୍ମୃତି ଷ୍ଟୁଡିଓରେ ଦୁଲେ ରାପରଙ୍କ କଣ୍ଠରେ ଗୀତଟି ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।

You might also like