ଗଞ୍ଜାମ: ଘରକୁ ଫେରିବା ଆଶା ଏବେ ଏମାନଙ୍କୁ ଚଲାଇଛି ୬ ଶହ କିଲୋମିଟର୍। ଚାଲି ଚାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଘରକୁ ଫେରିଛନ୍ତି ଗଞ୍ଜାମ ଛତ୍ରପୁର ଅଞ୍ଚଳର ଦୁଇ ଜଣ ଶ୍ରମିକ। ବିଜୟୱାଡ଼ାରେ ମିସ୍ତ୍ରୀ ଭାବେ କାମ କରୁଥିବା ଏହି ଦୁଇ ଜଣ ବ୍ୟକ୍ତି ଲକ୍ଡାଉନ୍ ପରେ କାମ ହରାଇଥିଲେ।
ତେଣୁ ଘରକୁ ଫେରିବାକୁ ନିଶ୍ଚିତ କରିବା ପରେ ଜାତୀୟ ରାଜପଥରେ ଚାଲି ଆସି ଘରେ ପହଞ୍ଚିଛନ୍ତି। ଲଗାତାର ୬ ଦିନ ଧରି ଚାଲିବା ପରେ ଶେଷରେ ସେ ବ୍ରହ୍ମପୁରକୁ ପହଞ୍ଚିଛନ୍ତି।
ଏହାପରେ ତାଙ୍କୁ ଜିଲ୍ଲା ପୋଲିସ୍ ପକ୍ଷରୁ ସହାୟତା ଦିଆଯାଇଛି। ଖାଦ୍ୟ ସାମଗ୍ରୀ ଦେବା ପରେ ତାଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ଘରକୁ ଯିବାକୁ ଦିଆଯିବ ବୋଲି ସୂଚନା ମିଳିଛି।
ଖାଲି ଏମାନେ ନୁହଁନ୍ତି, ଆନ୍ଧ୍ରପ୍ରଦେଶରୁ ବହୁ ଶ୍ରମିକ ଗୁଡ୍ସ ଟ୍ରେନ୍ ଓ ଜାତୀୟ ରାଜପଥରେ ଚାଲି ଗଞ୍ଜାମକୁ ଫେରୁଛନ୍ତି। ଏମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖିବା ନେଇ ବ୍ୟବସ୍ଥା ହୋଇଛି।