ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ବଲାଙ୍ଗିର: ଇଞ୍ଜିନିୟର ସାଜିଛନ୍ତି ଦିନ ମଜୁରିଆ। କରୋନା ପାଇଁ ଏବେ ୮ ମାସ ଧରି ଘରେ ବସିଛନ୍ତି ସମସ୍ତେ। କାମ ଧନ୍ଦା କିଛି ନାହିଁ ଚଳିବେ କେମିତି? ଏଭଳି ସ୍ଥିତିରେ ଶିକ୍ଷାଗତ ଯୋଗ୍ୟତାକୁ ପଛରେ ପକାଇ, ବଲାଙ୍ଗିରର ଜଣେ ଯୁବ ଇଂଜିନିୟର ଦିନ ମଜୁରିଆ ସାଜିଛନ୍ତି। ସେ ମନରେଗାରେ ମାଟି କାମ କରୁଥିବା ବେଳେ ପୂରା ଗ୍ରାଉଣ୍ଡରେ ଠାବ କରିଛନ୍ତି ଜିଲ୍ଲାପାଳ।

ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଦେଓଗାଁ ବ୍ଳକ ଜୁର୍ଲାକାନୀଠାରେ ମନରେଗାରେ ହେଉଥିବା ମାଟିକାମ ଦେଖିବାକୁ ଯାଇଥିଲେ। ସେଠାରେ ଜଣେ ଇଂଜିନିୟର ଦିନମଜୁରିଆ ଭାବେ କାମ କରୁଥିବା ଜାଣି ସେ ତାଙ୍କ ପାଖକୁ ଯାଇଥିଲେ। ତାଙ୍କ ସହ କଥା ହେଲା ପରେ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟିବାକୁ କହିଥିଲେ।

ସେ ଇଂଜିନିୟର ଜଣକ ହେଉଛନ୍ତି ଦେଓଗାଁ ଜୁର୍ଲାକାନୀ ଗାଁର ବୈଶାଖୁ ବେରିଆଙ୍କ ପୁଅ ଅନନ୍ତ ବେରିଆ। ଦିନ ମଜୁରିଆ ହୋଇ ବି ୫ ପୁଅ ଝିଅଙ୍କ ଭିତରେ ବଡ଼ ପୁଅ, ଅନନ୍ତଙ୍କୁ ଇଂଜିନିୟରିଂ ପାଠ ପଢ଼ାଇଥିଲେ। ଅଭାବ ଅନଟନରେ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିବା ପରେ ବି ଅନନ୍ତଙ୍କୁ ଓଡ଼ିଶାରେ ଚାକିରି ମିଳିନଥିଲା। ଚେନ୍ନାଇ ଯାଇ ଏକ ବେସରକାରୀ ସଂସ୍ଥାରେ ଇଂଜିନିୟର ଭାବେ କାମ କରି ବାପାଙ୍କ ସ୍ୱପ୍ନ ପୂରା କରିବାରେ ଲାଗି ପଡ଼ିଥିଲେ ଅନନ୍ତ। ହେଲେ କରୋନା ସବୁ କିଛି ବିଗାଡ଼ି ଦେଲା। ଚାକିରି ଗଲା, ଘରକୁ ଫେରି ବି ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ କୁଶଳୀ ହିସାବରେ ଯୋଗ୍ୟତା ଅନୁଯାୟୀ କାମ ନମିଳିବାରୁ ବାପାଙ୍କ ସହ କୋଦାଳ ଧରିଲେ ଅନନ୍ତ।

ଆଜି ଅନନ୍ତ ବାପାଙ୍କ ସହ ବଲାଙ୍ଗିର ଆସି ଜିଲ୍ଳାପାଳଙ୍କୁ ଭେଟିଛନ୍ତି। ଜିଲ୍ଲାପାଳ କହିଛନ୍ତି ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ, ତାଙ୍କୁ କାମ ଯୋଗାଇଦେବାକୁ ଚେଷ୍ଟା କରାଯିବ। ତେବେ ଅନନ୍ତ ଏବେ ଜିଲ୍ଲାପାଳଙ୍କୁ ଭରଷା କରି ରହିଛନ୍ତି।

You might also like