ଶ୍ରାବଣରେ ବର୍ଷା ସଙ୍କଟ

ଅାଗକୁ ଭଲ ବର୍ଷା ନହେଲେ ମରୁଡ଼ି ଅାଶଙ୍କାରେ ଚାଷୀ

ଭୁବନେଶ୍ୱର : ଶ୍ରାବଣରେ ବର୍ଷା ସଙ୍କଟ। କ୍ଷେତ ଶୁଖି ଆଁ କରିଛି, ଧାନଗଛ ବି ମରିଗଲାଣି। ବିଲ ମଝିକୁ ଧସେଇ ପଶିଲେଣି ଗାଈଗୋରୁ। ଏହି ସମସ୍ୟାର ଚିତ୍ର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର। ପ୍ରାୟ ୧୫ ଦିନ ହେଲା ବର୍ଷାର ଦେଖାନଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।

ସମାନ ଦୁର୍ଦ୍ଦଶା ନୂଅାପଡ଼ା ଜିଲ୍ଲାରେ। ଖଡ଼ିଆଳ ଏବଂ ସିନାପାଲି ବ୍ଲକରେ ଅାବଶ୍ୟକତା ଠାରୁ କମ୍ ବର୍ଷା ହୋଇଥିବାରୁ ମରିବାକୁ ବସିଲାଣି ଧାନ ତଳି। ତେଣୁ ପାଣି ସିଞ୍ଚି ବଞ୍ଚାଇ ରଖିବାକୁ ଉଦ୍ୟମ କରାଯାଉଛି। ବଲାଙ୍ଗିର ଜିଲ୍ଲାର ୪ଟି ବ୍ଲକରେ ତ ସ୍ଥିତି ସଂଗୀନ। ବେଲ୍‌ପଡ଼ା, ମୁରୀବାହାଲ, ବଙ୍ଗୋମୁଣ୍ଡା ଏବଂ ତୁରେଇକେଲା ବ୍ଲକରେ ବର୍ଷା ଅଭାବରୁ ବିହନ ଗଜା ହୋଇପାରିନାହିଁ।

ଏସ୍ଆର୍‌ସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଜୁନ୍ ପହିଲାରୁ ଅଗଷ୍ଟ ୪ ସୁଦ୍ଧା ରାଜ୍ୟର ୮ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି। ସେଗୁଡ଼ିକ ହେଲା କଟକ, ମୟୁରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, ବଲାଙ୍ଗିର ଏବଂ ନୁଅାପଡ଼ା। ଅାଗକୁ ଭଲ ବର୍ଷା ନହେଲେ ଏସବୁ ଜିଲ୍ଲାରେ ସ୍ଥିତି ସଂଗୀନ ହେବାର ଅାଶଙ୍କା କରିଛି କୃଷି ବିଭାଗ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସ୍ୱତନ୍ତ୍ର ବିହନ ଯୋଗାଇ ଦିଅାଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ। ସେପଟେ କୃଷି ସଚିବ କହିଛନ୍ତି ସ୍ଥିତିର ଅାକଳନ କରାଯାଉଛି। ଅାବଶ୍ୟକ ପଡ଼ିଲେ ପଦକ୍ଷେପ ନିଅାଯିବ।

ପାଣିପାଗ ବିଭାଗ ପକ୍ଷରୁ ଚାଷୀଙ୍କୁ ମିଳିଛି ଅାଶ୍ୱସ୍ତିକର ସୂଚନା। ଅାସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହୋଇ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆହୁରି ପଢ଼ନ୍ତୁ

You might also like