ରାଜ୍ୟବ୍ୟାପୀ ମରୁଡ଼ି ଆଶଙ୍କାରେ ଚାଷୀ: ସପ୍ତାହକରେ ଗଲାଣି ୩ ଚାଷୀଙ୍କ ଜୀବନ

ଭୁବନେଶ୍ୱର: ଖରିଫ୍ ଋତୁ ଆରମ୍ଭରୁ ସପ୍ତାହେ ଭିତରେ ତିନି ତିନି ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ଆସିଲାଣି। ବରଗଡ଼ର ଜିଲ୍ଲା ବିରମାଲ ପୋଢ଼ମୁଣ୍ଡା ଗାଁର ଚାଷୀ ବୈଷ୍ଣବ ଭୁଏଙ୍କ ମୃତ୍ୟୁ ମଧ୍ୟ ଚାଷରେ ଖ୍ୟତି ହେବା ଆଶଙ୍କାରେ ହୋଇଥିବା ଅଭିଯୋଗ ହୋଇଛି। ବୈଷ୍ଣବଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ଗତବର୍ଷ ମରୁଡ଼ି ମାଡ଼ ସହିଥିବା ବୈଷ୍ଣବ ଏଥର ୭୦ ହଜାର ଟଙ୍କା ଋଣ କରି ପୁଣିଥରେ ଚାଷ ପାଇଁ ଅଣ୍ଟାଭିଡ଼ି ଥିଲେ। କିନ୍ତୁ ଏଥର ବି ଦଇବ ଦାଉ ସାଧିଲା। ବର୍ଷାଭାବ ଜନିତ ଫସଲ ହାନୀ ଆଶଙ୍କାରେ କୀଟନାଶକ ପିଇ ଜୀବନ ହାରିଲେ ବୈଷ୍ଣବ। ସେପଟେ ଏନେଇ ଅଭିଯୋଗ ହେବା ପରେ, ବୈଷ୍ଣବଙ୍କ ଘର ଓ ଚାଷ ଜମି ବୁଲିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବରଗଡ଼ ଜିଲ୍ଲା ପ୍ରଶାସନ।

ପୂର୍ବରୁ ଗତ ୧୯ ତାରିଖରେ ବଲାଙ୍ଗିର ସଦର ବରକାନି ଗାଁର ଭକ୍ତବନ୍ଧୁ ଦଣ୍ଡସେନା ଓ ୨୩ ତାରିଖରେ ବାଲେଶ୍ୱର ସଦର ପଦ୍ମପୁର ଗାଁର ସୁମନ୍ତ ବେହେରା ଋଣଭାରରେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ତେବେ କେବଳ ଭକ୍ତବନ୍ଧୁ କି ବୈଷ୍ଣବ ନୁହଁନ୍ତି, ଶୁଖିଲା ଜମି ଓ ପୋଡ଼ା ତଳିକୁ ଦେଖିଲେ ନିଇତି ବଞ୍ଚି ଥାଉ ଥାଉ ମରୁଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ। ଶ୍ରାବଣ ମାସରେ ମେଘଶୂନ୍ୟ ଆକାଶକୁ ଚାହିଁଲେ ଖାଇ ଗୋଡ଼ାଉଛି ମରୁଡ଼ି ଭୟ। ଏଣେ ବର୍ଷା ନଥିବାକୁ, ତେଣେ ଜଳସେଚନ ପ୍ରକଳ୍ପ ବି ଅଚଳ ହୋଇପଡ଼ିଛି। ଏକର ଏକର ଜମିରେ ପାଣି ଟୋପାଏର ଚିହ୍ନବର୍ଣ୍ଣ ନାହିଁ। ସେପଟେ ଚାଷ ପାଇଁ ସମୟ ଗଡ଼ିଯାଉଥିବାରୁ ଚିନ୍ତାରେ ଚାଷୀ ଆଖିକୁ ନିଦ ଆସୁନାହିଁ।

ମରୁଡ଼ି ପ୍ରସଙ୍ଗରେ ଆଜି ବିଧାନସଭାରେ ବି ସରଗରମ ଆଲୋଚନା ହୋଇଛି। ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷାଭାବ ଯୋଗୁ ମରୁଡ଼ି ସ୍ଥିତି ଉପୁଜିଥିବା ଶୂନ୍ୟକାଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରଥିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। ଅନ୍ୟପଟେ ଋଣଭାର ଯୋଗୁ ଦେଶସାରା ଚାଷୀ ଆତ୍ମହତ୍ୟା କରୁଥିବା ବିଜେଡି ସାଂସଦ ପାର୍ଲାମେଣ୍ଟରେ କହୁଥିବା ବେଳେ, ରାଜ୍ୟ କ୍ଷେତ୍ରରେ ଦୋମୁହାଁ ନୀତି ଧରୁଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।
ଶାସକ ଦଳ ବିଧାୟକ ବି ଜଳାଭାବ କଥା ଉଠାଇ କ୍ଷୋଭ ପ୍ରକାଶ କରିଥିଲେ। ବିରୋଧୀ ସଦସ୍ୟଙ୍କ ଉଦ୍‌ବେଗ ପରେ ମରୁଡି ସ୍ଥିତି ସଂପର୍କରେ ଆସନ୍ତାକାଲି ରାଜସ୍ୱ ମନ୍ତ୍ରୀ ବିବୃତି ରଖିବେ ବୋଲି ରୁଲିଂ ଦେଇଛନ୍ତି ବାଚସ୍ପତି।

You might also like