ଚଢ଼େଇ ପାଇଁ ଜୀବନ ଗଲା !
ପାରାଦୀପ ଭୁତମୁଣ୍ଡେଇ ପୋଲରୁ ମହାନଦୀକୁ ଖସି ଡ୍ରାଇଭର୍ ନିଖୋଜ ଘଟଣାର ନୂଆମୋଡ଼
ପାରାଦୀପ: ପାରାଦୀପ ଭୁତମୁଣ୍ଡେଇ ପୋଲରୁ ମହାନଦୀକୁ ଡ୍ରାଇଭର ଖସିପଡ଼ି ନିଖୋଜ ହେବା ଘଟଣାରେ ନୂଆମୋଡ଼ ନେଇଛି। ଡ୍ରାଇଭର ଜଣକ ପୋଲ ବାଡ଼କୁ ଆଉଜି ମୋବାଇଲ୍ରେ କଥା ହେବା ବେଳେ ନୁହେଁ, ବରଂ ହେଲ୍ପର୍ ସହ ମାର୍ପିଟ୍ ଓ ଧସ୍ତାଧସ୍ତି ବେଳେ ନଦୀକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି।
ଗତକାଲି ରାତିରେ ଅନ୍ଧାର ଯୋଗୁ ଅଗ୍ନିଶମ ବାହିନୀ ନଦୀରେ ଡ୍ରାଇଭରଙ୍କ ପତ୍ତା ପାଇ ନ ଥିଲା। ଅନ୍ୟପକ୍ଷରେ ଘଟଣା ପରଠୁ ସମ୍ପୃକ୍ତ ହେଲ୍ପର୍ ଫେରାର୍ ଅଛନ୍ତି। ନିଖୋଜ ଡ୍ରାଇଭର୍ ହେଲେ ଅନୁଗୁଳ ଜିଲ୍ଲା ଖମାର ଗାଁର ଅଲେଖ ନାୟକ।
ସୂଚନା ଅନୁସାରେ, ଗତକାଲି ଅଲେଖ ଏକ ଚଢ଼େଇ କିଣି ଗାଡ଼ିରେ ରଖିଥିଲେ। କିନ୍ତୁ ହେଲ୍ପର୍ ରାଜୁ ସେହି ଚଢ଼େଇଟିକୁ ଉଡ଼ାଇ ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ଓ ମାର୍ପିଟ୍ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଡ୍ରାଇଭର୍ ନଦୀକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। କିନ୍ତୁ ଗତକାଲି ହେଲ୍ପର୍ ଗାଡ଼ି ମାଲିକଙ୍କୁ ଫୋନ୍ କରି ଡ୍ରାଇଭର୍ ନିଶାସକ୍ତ ଅବସ୍ଥାରେ ଫୋନ୍ରେ କଥା ହେବା ବେଳେ ନଦୀକୁ ଖସି ପଡ଼ିଥିବା କହିଥିଲେ।
ପାରାଦୀପ ଲକ୍ ଥାନା ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।