ଦୁର୍ଘଟଣା ପରେ ଟ୍ରକ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ଡ୍ରାଇଭର

ଦେବଗଡ଼: ଟ୍ରକ୍‌ ଦୁର୍ଘଟଣାରେ ଜୀଅନ୍ତା ଜଳିଗଲେ ଡ୍ରାଇଭର। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ୪୯ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଟ୍ରକ୍ ସହ ଆଉ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଦେବଗଡ଼ ପଟୁ ଏକ ଟ୍ରକ୍‌ କୋଲକାତା ଅଭିମୁଖେ ଯାଉଥିବା ବେଳେ ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥରେ ଅନ୍ୟ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଦେବଗଡ଼ ପଟୁ ଯାଉଥିବା ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଫଲରେ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ। ତେବେ ଅନ୍ୟ ଟ୍ରକ୍‌ଟି ଦୁର୍ଘଟଣା ପରେ ରାସ୍ତା କଡ଼କୁ ଓଲଟି ଯାଇଥିଲା।ସୂଚନା ପାଇ ବାରକୋଟ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ବାରକୋଟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ମଧ୍ୟ ଦେବଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ସର୍ଟସର୍କିଟ ଯୋଗୁ ଏକ ଚଳନ୍ତା ହାଇଓ୍ୱାରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ, ହାଇଓ୍ୱା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ଦେବଗଡ଼ ଜିଲ୍ଲା କୁରେଇଁବାହାଳ ଗାଁ ନିକଟରେ ଏକ ଲୁହାପଥର ବୋଝେଇ ହାଇଓ୍ୱାରେ ନିଆଁ ଲାଗିଯାଇଥିଲା। ଏହା ଜାଣିପାରି ତତ୍‌କ୍ଷଣାତ ହାଇଓ୍ୱା ଡ୍ରାଇଭର ରାସ୍ତା ଉପରେ ଗାଡ଼ି ଅଟକାଇ ଗାଡ଼ିରୁ ବାହାରକୁ ଚାଲି ଆସିଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୁନ୍ଦରଗଡ ଜିଲ୍ଲା କୋଇଡାରୁ ଲୁହାପଥର ନେଇ ଝାରସୁଗୁଡାର ଭୂଷଣ କାରଖାନାକୁ ଯାଉଥିଲା ଏହି ହାଇଓ୍ୱା। ୪୯ ନମ୍ବର ଜାତୀୟ ରାଜପଥରେ ଯିବା ବେଳେ କୁରେଇଁବାହାଳ ଗାଁ ନିକଟରେ ହାଇଓ୍ୱାରେ ହଠାତ୍ ନିଆଁ ଲାଗି ଯାଇଥିଲା। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।

You might also like