ଏମାନଙ୍କୁ କେବେ ମିଳିବ ପିଇବା ପାଣି?

ମିଳୁନି ପିଇବା ପାଣି

ରାୟଗଡ଼ା: ପାଣି ପାଇଁ ହଇରାଣ ହେଉଛନ୍ତି ରାୟଗଡ଼ା ଜିଲ୍ଲା ନିୟମଗିରିର ତେନ୍ତୁଳିପଦର ଗାଁର ଡଙ୍ଗରିଆ କନ୍ଧ।  ବର୍ଷକ ପୂର୍ବେ ପାଣି ଯୋଗାଣ ପାଇଁ ଏଠାରେ ଆରମ୍ଭ ହୋଇଛି ବିଭିନ୍ନ ପ୍ରକଳ୍ପ। କିନ୍ତୁ କୌଣସି ଗୋଟିଏରୁ ମିଳିପାରୁନି ପାନୀୟ ଜଳ। ଯାହାଫଳରେ ପଥର ସନ୍ଧିରୁ ପାଣି ସଂଗ୍ରହ କରି ଚଳୁଛନ୍ତି ଗାଁ ଲୋକେ। ଖରା ବଢିବା ସହ ପାଣି ପାଇଁ ଚିନ୍ତା ବି ଏମାନଙ୍କର ବଢିବାରେ ଲାଗିଛି।

ପଥର ସନ୍ଧିରେ ଖୋଜା ଚାଲିଛି ମୁନ୍ଦାଏ ପିଇବା ପାଣି। ପଙ୍କ , କାଦୁଅ ଆବର୍ଜନାରୁ ଛାଣି ପିଇବା ଯୋଗ୍ୟ  ପାଣି ଏଠି ମହିଳାମାନେ ସଂଗ୍ରହ କରୁଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଂଚଳର ତେନ୍ତୁଳିପଦର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଯେଉଁଠି ପାଣି ପାଇଁ ଗାଁଲୋକଙ୍କୁ ନିର୍ଭର କରିବାକୁ ପଡୁଛି ଶୁଖିଯାଇଥିବା ଝରଣା ପାଣି ଉପରେ। ୨୦୧୯ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗାଁରେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ସିଷ୍ଟମ ଜରିଆରେ ଜଳଯୋଗାଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବୋରେୱେଲ୍‌ ଶୁଖିଯିବା ପରେ ପୁଣି ଝରଣା ଉପରେ ନିର୍ଭରଶୀଳ ଗ୍ରାମବାସୀ। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ କରାଗଲା।

ଏନେଇ ସରକାରଙ୍କ ସ୍ୱତନ୍ତ୍ର ବିଭାଗ DKDA ଏବଂ ଓପିଲିପିକୁ ଏହାର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ସେ ବି ପଡିରହିଛି ଅଧପନ୍ତରିଆ ହୋଇ। ଏକ ହଜାର ଲିଟର ପାଣି ଟ୍ୟାଙ୍କ ଓ କିଛି ପାଇପ ପଡି ନଷ୍ଟ ହେବାକୁ ବସିଲାଣି। ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ସେପଟେ ଏନେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ, ଗାତ ଖୋଳି ଖୋଳି ପାଣି ପିଉଛୁ। ଦୀର୍ଘଦିନ ହେଲା ଏ ସମସ୍ୟ ଲାଗି ରହିଛି କିନ୍ତୁ କେହି ଶୁଣୁନାହାନ୍ତି। ଚୈତ୍ରଓ ବୈଶାଖ ଭଳି ଖରା ଦିନରେ ବି ଆମେ ଟୋପେ ପିଇବା ପାଣି ପାଉନାହୁଁ। ଏବେ ଝରଣା ବି ଶୁଖିଗଲାଣି, ଆଗକୁ ଖରା ଆହୁରି ବଢିବ। କିନ୍ତୁ ପାଣି ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହେଲା ନାହିଁ। ଆଉ କେତେ ଦିନ ଅପେକ୍ଷା କରିବୁ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।

ଆଗକୁ ଖରା ବଢିଲେ ଝରଣା ପାଣି ସଂପୂର୍ଣ୍ଣ ଶୁଖିଯିବାର ଆଶଙ୍କା କରୁଛନ୍ତି ଗ୍ରାମବାସୀ। ଗାଁର ପାଣି ସମସ୍ୟା ନେଇ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, କାମ ଚାଲିଥିବା ପ୍ରକଳ୍ପ ସଂପର୍କରେ ସେ ଅବଗତ ଅଛନ୍ତି। ଏନେଇ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପାଣି ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ।

You might also like