କନ୍ଧମାଳରେ ସରକାରଙ୍କ ଫମ୍ଫା ପ୍ରତିଶ୍ରୁତି ; ୧୫ ବର୍ଷ ହେଲା ଫଳକରେ ସୀମିତ ସ୍ୱଜଳ ଧାରା ପ୍ରକଳ୍ପ

ଫୁଲବାଣୀ( ତ୍ରିନାଥ ସାହୁ) /ଝାରସୁଗୁଡ଼ା (ଭାଗୀରଥୀ ସାହୁ) : ନିର୍ବାଚନ ଆସିଲେ ଭୋଟରଙ୍କୁ ମିଳେ ପୁଳା ପୁଳା ପ୍ରତିଶ୍ରୁତି। ଭୋଟ୍ ସରିଗଲେ ପ୍ରତିଶ୍ରୁତି ପାଳନ ତ ଦୂରର କଥା, ଆଉ ଦର୍ଶନ ବି ମିଳେନି। ଅନ୍ୟ ସୁବିଧା କଥା ଛାଡ଼ନ୍ତୁ ଟୋପାଏ ବିଶୁଦ୍ଧ ପାଣି ପାଇଁ ବର୍ଷ ବର୍ଷ ଧରି ଡହଳ ବିକଳ ହୁଅନ୍ତି ଜନତା।

ଏମତିକି ୧୫ ବର୍ଷ ତଳେ ବିଜେଡି ସରକାରର ପ୍ରଥମ ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପଡ଼ିଥିବା ଏକ ପାନୀୟ ଜଳ ପ୍ରକଳ୍ପ, ନାମ ଫଳକ ସ୍ଥାପନରୁ ଆଗକୁ ବଢ଼ିପାରିନି। ପାଣି ଭଳି ମୌଳିକ ସମସ୍ୟାକୁ ନେଇ କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ଏହି ରିପୋର୍ଟ –

ଫୁଲବାଣୀ ସଦର ମହକୁମାର ଅତି ପାଖରେ ଗାଁଟିଏ ରୁଜାଙ୍ଗୀ। ରୁଜାଙ୍ଗୀର ଲେଙ୍ଗେରୀସାହିରେ ଅଛି ଏକ ନାମ ଫଳକ। ସେଥିରେ ଅଛି ଗାଁ ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ୧୫ ବର୍ଷ ତଳେ ଅର୍ଥାତ୍ ୨୦୦୪ ଜାନୁଆରୀ ୨ ତାରିଖରେ ଗ୍ରାମ୍ୟ ପାଇପ୍ ଜଳଯୋଗାଣର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବାସ୍ ସେଇ ଫଳକରେ ସେବେଠୁ ରହିଯାଇଛି ସ୍ୱଜଳ ଧାରା ପ୍ରକଳ୍ପ। ଆଉ ଲୋକେ ପିଉଛନ୍ତି, ରୋଷେଇ କରୁଛନ୍ତି ବିଲ ମଝିରେ ଥିବା ଏଇ ଚୂଆ ପାଣିକୁ। ସେ ପାଣିର ଅବସ୍ଥା ନକହିବା ଭଲ। ଗାଁ ପାଖ ରାସ୍ତାକଡ଼ରେ ନଳକୂଅଟିଏ ବି ଅଛି, ହେଲେ ସେଠି ଭିଡ଼ ଏମିତି ଯେ ଏ ସରୁ ଧାରରେ ବାହାରୁଥିବା ପାଣିରୁ ଗରାଏ ଧରି ଫେରିବା ବେଳକୁ ବାକି କାମ ଧନ୍ଦା ବନ୍ଦ। ତେଣୁ ମହିଳା ପଣ କରିଛନ୍ତି ପାଣି ନାହିଁ ତ ଭୋଟ୍ ନାହିଁ।

ଆଉ ଏକ ଅଞ୍ଚଳ ହେଲା ଝାରସୁଗୁଡ଼ା ପୌରପରିଷଦ ଅଧିନରେ ଥିବା ୧୩ ନମ୍ବର ଓ୍ୱାର୍ଡ ଡିହିପଡ଼ା। ଏଠାରେ ବି ପାଣି ପାଇଁ ସଂଘର୍ଷ। ପଡ଼ାରେ ୫ଟି ନଳକୂଅ , ହେଲେ ଏଇ ଗୋଟିକୁ ଛାଡ଼ି ସବୁ ଅଚଳ। ତେଣୁ ରାତି ପାହୁ ପାହୁ ଏ ନଳକୂଅ ପାଖରେ ମହିଳାଙ୍କ ଏମିତି ଭିଡ଼। ଅପେକ୍ଷା କେତେବେଳେ ପାଳି ପଡ଼ିବ, ପୂରିବ ଗରା ମାଠିଆ। ସହର ଭିତରେ ଥାଇ ବି ଏଇ ପଡ଼ାରେ ଥିବା ୫୦ରୁ ଅଧିକ ପରିବାର ପାଇଁ ପାଇପ୍ ପାଣି ଆଜି ବି ସାତ ସପନ।

ଯୋଜନାର ଅଭାବ ନାହିଁ, ହେଲେ ଯେଉଁଠି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରୁଥିବା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି କି ନାହିଁ , ତାହା ଦେଖିବାକୁ, ପରଖିବାର ବ୍ୟବସ୍ଥା ନାହିଁ। ଗାଁ କଥା ଛାଡ଼ନ୍ତୁ ସହର ଭିତରେ କି ପାଖରେ ଥାଇବି ବିଶୁଦ୍ଧ ପାଣି ଟୋପେ ପାଇଁ ଲୋକେ ସଂଘର୍ଷ କରନ୍ତି, ସେଠି ବିକାଶର ପରିଭାଷା କଣ ତାହା ହିଁ ବଡ଼ ପ୍ରଶ୍ନ।

You might also like