ହଜାରେ କିଲୋମିଟର ଦୂରରେ ଲୁଚିଥିବା ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

କଟକ: ଶେଷରେ ପୋଲିସ ହାତରେ ଧରାପଡ଼ିଲା କୁଖ୍ୟାତ ଗାଙ୍ଗଷ୍ଟର ସେଖ୍ ହାଇଦର। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଛି କଟକ ପୋଲିସ। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ହାଇଦରକୁ ଆଜି ସଂଧ୍ୟାରେ କଟକ ପୋଲିସ ତେଲେଙ୍ଗାନାରୁ ଗିରଫ କରିଥିବା ପୋଲିସ କମିଶନର କହିଛନ୍ତି।

ଗତ ଏପ୍ରିଲ ୧୦ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ଥିବା ହାଇଦର ଏସସିବିର ସର୍ଜରୀ ଓ୍ୱାର୍ଡ କ୍ୟାବିନରୁ ଫେରାର ହୋଇଯାଇଥିଲା। ମେଡିକାଲରେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା। ହାଇଦର ଭଳି କୁଖ୍ୟାତ ଅପରାଧୀ ପୋଲିସ ହେପାଜତରୁ ଫେରାର ମାରିବା ପରେ ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏପିରିକି ସେ ଆକସ୍ମିକ ଫେରାର ମାରିଥିଲା ନା ତାକୁ ଖସାଇଦେବାକୁ ରୀତିମତ ଷଡ଼ଯନ୍ତ୍ର ହୋଇଥିଲା, ତାକୁ ନେଇ ଏକାଧିକ ପ୍ରଶ୍ନ ଉଠିଥିଲା। ତେବେ ଶେଷରେ କମିଶନରେଟ୍ ପୋଲିସ ତାକୁ ରାଜ୍ୟ ବାହାରୁ କାବୁ କରିବା ପରେ ଏବେ ସବୁ ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅବସାନ ଘଟିଛି।

ହାଇଦର ଗିରଫ ହେବା ନେଇ ପୋଲିସ କମିଶନର OTVକୁ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା:-
ଫେରାର ପଛରେ ଷଡ଼ଯନ୍ତ୍ର ଥିଲା କି ନାହିଁ ତଦନ୍ତ କରାଯିବ। ହାଇଦର ଖସିଯିବାର ଅଢ଼େଇ ଘଣ୍ଟା ପରେ ଆମକୁ ଖବର ମିଳିଥିଲା। ବିଳମ୍ବରେ ଖବର ମିଳିଥିବାରୁ ଆମ ପାଇଁ କଷ୍ଟକର ଥିଲା।  ସବୁ ପ୍ରକାର ସୂଚନାକୁ ଏକାଠି କରି ଆମେ ଆଗେଇ ଥିଲୁ। ଆମର ପ୍ରଥମ ଲକ୍ଷ୍ୟ ଥିଲା ସେ କେଉଁଠି ଅଛି ଜାଣିବା। ନିର୍ଦ୍ଦିଷ୍ଟ ତଥ୍ୟ ମିଳିବା ପରେ ଆମର ୨ଟି ଟିମ୍ ତେଲେଙ୍ଗାନା ଯାଇଥିଲା। ତେଲେଙ୍ଗାନା ପୋଲିସ ସହାୟତାରେ ଆମ ଟିମ୍ ତାକୁ ଧରିଥିଲା। ତାକୁ ଅଣାଯିବା ପରେ ପଚରାଉଚରା କରାଯିବ।ସେ କେମିତି ଗଲା, କିଛି ଷଡ଼ଯନ୍ତ୍ର ଥିଲା କି ନାହିଁ ତଦନ୍ତ ହେବ। ବାଂଲାଦେଶ ଖସିଯିବା ଖବର କପୋଳକଳ୍ପିତ ଥିଲା। ବାଂଲାଦେଶ ପଳାଇଲା ବୋଲି କିଏ କହିଲା, ତାର ତଦନ୍ତ ହେବ। 

ହାଇଦର ଗିରଫ ଘଟଣାକୁ ନେଇ ପୋଲିସ ଡିଜି ଅଭୟ ସାବାସୀ ଦେଇଛନ୍ତି। ପୋଲିସ କମିଶନର, କଟକ ଡିସିପି ଓ ଟିମ୍‌କୁ ସାବାସୀ ଦେଇଛନ୍ତି। ଟୁଇଟର ଜରିଆରେ ଡିଜିପି ଅଭୟ ପ୍ରଶଂସା କରିଛନ୍ତି।

You might also like