ପାଣ୍ଡିଆନଙ୍କ ଗସ୍ତବେଳେ ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି

କେନ୍ଦୁଝର: ସୁନ୍ଦରଗଡ଼ ଡାକ୍ତରଖାନାର ଅବ୍ୟବସ୍ଥା ଦେଖି ତୁରନ୍ତ ପଦକ୍ଷେପ ସ୍ୱରୂପ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲ.ଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କଲା ପରେ  5-ଟି ସଚିବ ଭି. କେ. ପାଣ୍ଡିଆନ୍‌ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲାରେ।  କେନ୍ଦୁଝରରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୟ  ଚିକିତ୍ସାଳୟ ଯାଇଥିଲେ। ସେହି ସମୟରେ ସାମାନ୍ୟ ବର୍ଷାରେ ଡ୍ରେନ ପାଣି ଡାକ୍ତରଖାନା ଭିତରେ ପଶି ଯାଇଥିଲା, ରୋଗୀ ଅପରିଷ୍କାର ପରିବେଶରେ ରହିଥିଲେ, ଡାକ୍ତରମାନେ ପାଣିଘେରରେ ଦୀର୍ଘ ସମୟ ଫସି ରହିଥିଲେ।  ହେଲେ ଏସବୁ ସଚିବଙ୍କ ଦୃଷ୍ଟିକୁ ଆସି ନ ଥିଲା। ସୁରକ୍ଷିତସ୍ଥାନରେ ରହି  ‘ମୋ ସରକାର’ ଯୋଜନାର ତଦାରଖ କରିଥିଲେ ପାଣ୍ଡିଆନ।

5-ଟି ସବିବ ଭି. କେ. ପାଣ୍ଡିଆନ୍‌ ଗତକାଲି କେନ୍ଦୁଝରରେ ପହଞ୍ଚିବା ପରେ ସାମାନ୍ୟ ବର୍ଷା ହୋଇଥିଲା। ଫଳରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପିପି ସେଣ୍ଟରରେ ଡ୍ରେନ ପାଣି ପଶି ଯାଇଥିଲା। ଅବଶ୍ୟ ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତ କିଛି ଦିନ ଧରି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ବିଭିନ୍ନ କାମ କରାଯାଇଥିଲା।  ତେବେ ବର୍ଷାରେ ସବୁ ଯୋଜନା ଫସର  ଫାଟିଯାଇଥିଲା।

ସବିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଓ୍ୱାର୍ଡ ପରିଦର୍ଶନ କରୁଥିବାବେଳେ ଅନ୍ୟପଟେ ଡ୍ରେନ୍ ପାଣି ଘେରରେ ଫଶି ରହିଥିଲେ ମେଡିକାଲର କିଛି ଷ୍ଟାଫ ଏବଂ ଡାକ୍ତର।   ପିପି ସେଣ୍ଟର ଭିତରେ ଓ ବାହାରେ ଡ୍ରେନ ପାଣି ପଶିଯାଇଥିବାରୁ ଉଭୟ ଡାକ୍ତର ଓ ଷ୍ଟାଫ୍ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।  କିଛି ଷ୍ଟାଫ୍ ନାଳ ପାଣିରେ ପଶି ପଦାକୁ ଆସିଥିବାବେଳେ କେତେଜଣ ଡାକ୍ତର ଲୁହା ରଡରେ ଚଢି ଆସିଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ସଚିବଙ୍କୁ ଅବ୍ୟବସ୍ଥାରେ ଥିବା ଏସବୁ ସ୍ଥାନକୁ  ନେଇ ନ ଥିଲେ।

ସୂଚନାଥାଉ କି, ପିପି ସେଣ୍ଟରରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଟିକା ଯାଏ। ହେଲେ ଏଠାରେ ଡ୍ରେନ ପାଣି ପଶିଯିବାରୁ ଉଭୟ ମାଆ ଓ ଶିଶୁ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତର କହିଛନ୍ତି । ଡାକ୍ତରଖାନାର ଏପରି ପରିବେଶକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମଚାରୀ ଓ ରୋଗୀ।  ଡ୍ରେନ୍ ସଫା କରାଯାଉନଥିବାରୁ ମଇଳା ପାଣି ମେଡିକାଲରେ ପଶୁଥିବା ଡାକ୍ତର ଅଭିଯୋଗ କରିଛନ୍ତି।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ମମତାରାଣୀ ଜେନା କହିଛନ୍ତି,“ ଏଭଳି ଜାଗାରେ କାମ କରୁଥିବାରୁ ମୋତେ ଖରାପ ଲାଗୁଛି। ଡ୍ରେନ୍‌ ପାଣି ମେଡିକାଲରେ ପଶିବା ଯୋଗୁ ସମସ୍ତଙ୍କୁ ଇନ୍‌ଫେକ୍ସନ୍‌ ହୋଇପାରେ।”

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ଶଶିକଳା ପଣ୍ଡା କହିଛନ୍ତି,“ ହସ୍ପିଟାଲରେ ପାଣି ପଶିଯାଇଥିବାରୁ ବାହାରକୁ ଯିବା କଷ୍ଟକର ହୋଇପଡ଼ୁଛି। ସଚିବ ଡାକିଥିବା ମିଟିଂ ମଧ୍ୟ ଆମେ ଯାଇପାରିଲୁନି।”

You might also like