“ଫନି ସହାୟତା ଦେଇନାହଁ, ଆମେ ଭୋଟ୍‌ କାହିଁକି ଦେବୁ”

ଉଠୁଛି ପଡ଼ୁଛି ପିପିଲି

  • ଉପ ନିର୍ବାଚନ ପାଇଁ ପିପିଲିରେ ପଲିଟିକାଲ୍ କମ୍ପନ
  • ଫନି ପୀଡ଼ିତଙ୍କୁ ଅଣଦେଖା ନେଇ ଅକଳରେ ବିଜେଡି !
  • ଡେଲାଙ୍ଗ ବିପନ୍ନଙ୍କ ଚେତାବନୀ-ସହାୟତା ନାହିଁ ତ ଭୋଟ୍ ନାହିଁ
  • ବିଜେପି ନେତାଙ୍କ ଆଗରେ ଦୁଃଖ ବଖାଣିଲେ ଫନି ବିପନ୍ନ
  • ଆସନ୍ତାକାଲି ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କରିବେ ନବୀନ

ପିପିଲି: କମ୍ପୁଛି ପିପିଲିର ପଲିଟିକାଲ୍ ମୈଦାନ। ହେଲେ ଶାସକ ଦଳର ଗଡ଼ କୁହାଯାଉଥିବା ପିପିଲିରେ ବିଜେଡି ପାଇଁ ଏବେ କଣ୍ଟା ସାଜିଛନ୍ତି ଫନି ଦୁର୍ଗତ। ୨ ବର୍ଷ ତଳର ସେହି ପ୍ରାକୃତିକ ବିପର୍ଯ୍ୟୟର କ୍ଷତ ଆଜି ବି ଶୁଖିନି, ଆଜି ବି ମିଳିନି ସରକାରୀ ସହାୟତା। ଯାହାକୁ ନେଇ ଉପନିର୍ବାଚନୀ ମୈଦାନଠୁ ସୋସିଆଲ୍ ପ୍ଳାଟଫର୍ମ ଯାଏଁ ବାରି ହେଉଛି ଅସନ୍ତୋଷର ନିଆଁ। ଏସବୁ ଭିତରେ ବିଜେପି ପରିବର୍ତ୍ତନ ସ୍ୱରକୁ ଶାଣିତ କରି ନିର୍ବାଚନୀ ପ୍ରଚାର କରୁଥିବା ବେଳେ ସ୍ୱଚ୍ଛ ଶାସନର କଥା କହି ଭୋଟ୍ ମାଗୁଛି ବିଜେଡି।

ତେବେ ପିପିଲିରେ କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋର ଭାବ ଆଉ ଭାଷାକୁ ସମସ୍ତେ ଅତି ସହଜରେ ବୁଝିପାରିବେ। ଭୋଟ୍ ଭିକ୍ଷା କରୁଥିବା ନେତାଙ୍କୁ ସିଧାସଳଖ ଚେତାଇ ଦେଇଛନ୍ତି ଜନତା। ହେଲେ ଏଭଳି ଫଟୋ ପଛର କାହାଣୀ କଣ? ଜାଣିବା ପାଇଁ ଓଟିଭି ପହଞ୍ଚିଥିଲା ଗ୍ରାଉଣ୍ଡ ଜିରୋରେ।  ପିପିଲି ଡେଲାଙ୍ଗ ବ୍ଲକ ସୋଡାଙ୍ଗୋଇ ଗାଁରେ ପ୍ରତିଟି ଫନି କ୍ଷତିଗ୍ରସ୍ତଙ୍କ ଘର ଆଗରେ ଲାଗିଛି ପୋଷ୍ଟର। ସେହି ପୋଷ୍ଟର ହିଁ ବୟାନ କରୁଛି କେତେ ଅସହାୟ ଅବସ୍ଥାରେ ଅଛନ୍ତି ସେମାନେ। କାରଣ ସେହି ପ୍ରାକୃତିକ ବିପର୍ଯ୍ୟୟ ଯିବାର ଦୀର୍ଘ ଦିନ ପରେ ବି ମିଳିନି ସହାୟତା। ଆଉ ଏବେ ଉପନିର୍ବାଚନ ଆସିବା ପରେ ନିଜର ଭଙ୍ଗାଦଦରା କାନ୍ଥରେ ପୋଷ୍ଟର ମାରି ଚେତାଇ ଦେଇଛନ୍ତି ମତଦାତା।

ମେ ୩, ୨୦୧୯ରେ ଆସିଥିଲା ଫନି। ଆଉ ଦିନ କେଇଟା ପରେ ଫନିକୁ ପୁରିବ ୨ ବର୍ଷ। ହେଲେ ଆଜି ବି ପିପିଲି-ଡେଲାଙ୍ଗ ଅଞ୍ଚଳରେ ସ୍ପଷ୍ଟ ବାରି ହେଉଛି ସେହି ପ୍ରାକୃତିକ ତାଣ୍ଡବର କ୍ଷତଚିହ୍ନ । ପ୍ରତିଶ୍ରୁତି ମିଳିଥିଲା ମୁଣ୍ଡକୁ ଛାତଟିଏ ପାଇଁ, କେନ୍ଦ୍ରରୁ ସରକାରୀ ଅନୁଦାନ ଆସିଥିଲା ବିପନ୍ନଙ୍କୁ ସହାୟତା ପାଇଁ। କିନ୍ତୁ ପଲିଥିନ୍ ଘୋଡ଼ା ଚାଳଛପର ତଳେ ବିତୁଛି ଦୁର୍ଗତଙ୍କ ଜୀବନ। ଡେଲାଙ୍ଗ ବ୍ଲକର ବେନୁପଡ଼ା, ଚାଇଁପୁର, ମାଣତ୍ରୀ, ସବୁଠି ଏଭଳି ଅବସ୍ଥାା କ୍ଷୋଭ ରହିଛି ଲୋକଙ୍କ ମନରେ। ଆଉ ପ୍ରଚାରବେଳେ ଗୁହାରି ଶୁଣିବାକୁ ଯାଇଥିବା ନେତାଙ୍କ ଆଗରେ ଦୁର୍ଦ୍ଦଶାର ଦୟନୀତି ଚିତ୍ର ବଖାଣିଛନ୍ତି ଫନି ଦୁର୍ଗତ।

କ୍ଷୋଭ ଆଉ ଆକ୍ରୋଶ ଅଛି ଜନତାଙ୍କ ଭିତରେ। ଆଉ ସେସବୁକୁ ପିଠି କରି ଉପନିର୍ବାଚନୀ ଦୌଡ଼ରେ ସମସ୍ତେ ମାତିଛନ୍ତି। ହେଲେ ପିପିଲି-ଡେଲାଙ୍ଗବାସୀଙ୍କ ଦୁର୍ଦ୍ଦଶା ଆଉ ଦୁର୍ଗତଙ୍କ କଥା କହି ପରିବର୍ତ୍ତନର ଆହ୍ୱାନ ଦେଇ ଲୋକଙ୍କ ନିକଟତର ହେଉଛି ବିଜେପି। ତେଣେ ଦଳୀୟ ପ୍ରାର୍ଥୀ କରୋନାରେ ସଂକ୍ରମିତ ହେବା ପରେ ଉପନିର୍ବାଚନ ଲଢ଼େଇ ଲଢ଼ୁଥିବା କଂଗ୍ରେସର ହେଭିୱେଟ୍‌ ବି ଶାସକ ଦଳର ପ୍ରତାରଣାକୁ ପ୍ରସଙ୍ଗ କରିଛନ୍ତି। ସେପଟେ ସ୍ୱଚ୍ଛ ଶାସନର କଥା କହି ଭୋଟ ଭିକ୍ଷା କରୁଛି ବିଜେଡି। ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ୍ ରାଲି ମାଧ୍ୟମରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପିିିପିଲିରୁ ଦ୍ୱିତୀକୃଷ୍ଣ ପଟ୍ଟନାୟକଙ୍କ ସହ ରଶ୍ମିରଂଜନ ଭୋଇ ଏବଂ ଅତୁଲ୍ୟ ବାଉତଙ୍କ ରିପୋର୍ଟ

You might also like