ରାତି ପାହିଲେ ହୋଲି: କରୋନା ପାଇଁ ଫିକା ପଡିବ ରଙ୍ଗଖେଳ

ରଙ୍ଗ ଖେଳକୁ ଫିକା କଲା କରୋନା

ଭୁବନେଶ୍ୱର: ରାତି ପାହିଲେ ହୋଲି ଉତ୍ସବ। କରୋନା ସଂକ୍ରମଣ ସାଙ୍ଗକୁ ପ୍ରଶାସନର କଟକଣା ଭିତରେ ଫିକା ପଡ଼ିବ ରଙ୍ଗର ପର୍ବ ହୋଲି। ତେବେ ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ଦୋଳ ବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦୋଳ ଗୋବିନ୍ଦ। ରତ୍ନସିଂହାସନରେ ସୁନାବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀଜିଉ। ଗାଁ ଗାଁରେ ଅନୁଷ୍ଠିତ ହୋଇଛି ଦୋଳ ମେଳଣ।

ଦୋଳ ବେଦୀରେ ଦୋଳ ଗୋବିନ୍ଦ। ସବୁଠି ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ। ଏମିତି କିଛି ଦୃଶ୍ୟ ପୁରୀ ସମେତ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦୋଳଉତ୍ସବ ନୀତି ବି ଚାଲିଛି। ଭକ୍ତଙ୍କ ସହ ଫଗୁ ଅବିର ଖେଳରେ ମାତିଛନ୍ତି ବିମାନରେ ବିରାଜିତ ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ। ସେପଟେ ରତ୍ନ ସିିଂହାସନରେ ବି ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଏପଟେ ଲିଙ୍ଗରାଜ ମନ୍ଦିରରେ ବି ସଂପନ୍ନ ହୋଇଛି ଦୋଳ ନୀତି।

କେବଳ ଶ୍ରୀକ୍ଷେତ୍ର ନୁହେଁ, ଦୋଳ ପୂର୍ଣ୍ଣିମାରେ ଗାଁ ଗାଁରେ ବିମାନରେ ବସି ସାହିକୁ ସାହି ବୁଲୁଛନ୍ତି ରାଧାକୃଷ୍ଣ। ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଓଳକଣା ମେଳଣ କୋଭିଡ୍ କଟକଣା ଯୋଗୁଁ ଫିକା ପଡ଼ିଛି। ପ୍ରଶାସନର ୧୪୪ ଧାରା କଟକଣା ଭିତରେ ହୋଇଛି ମେଳଣ। ସେପଟେ ଭଦ୍ରକ ତିହିଡ଼ିରେ ପ୍ରତିବର୍ଷ ଶତାଧିକ ବିମାନ ଆସୁଥିବା ବେଳେ ଚଳିତବର୍ଷ କରୋନା କଟକଣା ପାଇଁ ମେଳଣରେ ଅଳ୍ପ ବିମାନ ଭାଗ ନେଇଛନ୍ତି।

ଏପଟେ କାଲି ରଙ୍ଗର ପର୍ବ ହୋଲି। ହେଲେ କରୋନା ସଂକ୍ରମଣ ଡର ପାଇଁ ଏଥର ଫିକା ପଡ଼ିଛି ବ୍ୟବସାୟ। ରାଜଧାନୀରେ କାଁ ଭାଁ ଫଗୁ ଦୋକାନ ଖୋଳିଥିବା ଦେଖିବାକୁ ମିଳିଛି। ଗତବର୍ଷର ବଳକା ରଙ୍ଗ ଏବର୍ଷ ବିକ୍ରି କରୁଛନ୍ତି ବ୍ୟବସାୟୀ। ଗ୍ରାହକ ବି ହୋଲି ଖେଳକୁ ନେଇ ବେଶ୍ ସଚେତନ ଥିବା ଦେଖାଯାଇଛି। କରୋନା କଟକଣା ଭିତରେ ହୋଲି ପାଳିବାକୁ ସରକାର ପରାମର୍ଶ ଦେଇଛନ୍ତି। ବାହାରକୁ ଯିବା ନାହିଁ, କାହାରିକୁ ସ୍ପର୍ଶ କରିବା ନାହିଁ। ଦୂରତା ରକ୍ଷା କରି ହୋଲି ପାଳନ କରିବା ସହ ଭଲ ଭାବେ ସାବୁନରେ ହାତ ଧୋଇବା ଓ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ମୋଟ ଉପରେ କହିବାକୁ ରାଜ୍ୟର ପୁରପଲ୍ଲୀରେ ଅନେକ ସ୍ଥାନରେ ବେଶ ଆଡ଼ମ୍ବରର ସହକାରେ ଚାଲିଛି ଦୋଳପର୍ବ। କରୋନା କଟକଣା ଲଗିବା ପରେ ନିୟମ ମାନି ଗାଁକୁ ଗାଁ  ବିମାନରେ ଝୁଲିଝୁଲି ଯାଉଛନ୍ତି ଦୋଳଗୋବିନ୍ଦ। ପିଠାପଣାର ବାସ୍ନାରେ ମହକୁଛି ଗାଁ। ଏଥର ରଙ୍ଗ ଖେଳ ଉପରେ ରୋକ୍‌ ଲାଗିଥିବାରୁ ଠାକୁରଙ୍କ ପାଖରେ କେବଳ ସାମାନ୍ୟ ଅବିର ପରସ୍ପରକୁ ଲଗାଇଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ଦୋଳ ପର୍ବକୁ ବେଶ ଉତ୍ସାହର ସହ ପାଳନ  କରୁଛନ୍ତି ଲୋକେ।

You might also like