ମାଲିକକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ପୋଷା କୁକୁର

ଖୋର୍ଦ୍ଧା: କୁହାଯାଏ କୁକୁର ଏକ ବିଶ୍ଵସ୍ତ ପ୍ରାଣୀ। ମାଲିକ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ସବୁ ବେଳେ ସଜାଗ ରହିଥାଏ। ଆବଶ୍ୟକ ପଡ଼ିଲେ, ନିଜକୁ ବିପଦ ମୁହଁକୁ ବି ଠେଲି ଦେଇଥାଏ। ବିଭିନ୍ନ ସମୟରେ ନିଜର ବିଶ୍ୱାସନୀୟତାର ପରିଚୟ ଦେଇଛି କୁକୁର। ଏବେ ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ନିଜ ମାଲିକଙ୍କ ପରିବାରର ଜୀବନ ବଞ୍ଚାଇବା ପାଇଁ ଜୀବନ ଦେଇଛି ଏକ କୁକୁର।

ସୂଚନା ଅନୁସାରେ, ଜଟଣୀର ଆରିଫ ଅମିନ ଡାଲମେସିଆନ ପ୍ରଜାତିର ଏକ କୁକୁର ପାଳିଥିଲେ। ତା’ ନାଁ ସ୍ନେହରେ ଟାଇସନ୍‌ ରଖିଥିଲେ। ପୂରା ପରିବାର କୁକୁରକୁ ବହୁତ ଭଲ ପାଉଥିଲେ। ସେହିପରି ଟାଇସନ୍‌ ମଧ୍ୟ ମାଲିକଙ୍କ ପରିବାର ଲୋକଙ୍କ ସୁରକ୍ଷାରେ କେବେ ହେଳା କରୁ ନଥିଲା।

ସବୁଦିନ ପରି ଗତକାଲି ଅମିନଙ୍କ ପରିବାର ଲୋକେ ଶୋଇଯିବା ପରେ ଟାଇସନ୍‌ ଘର ସୁରକ୍ଷାରେ ଲାଗି ପଡ଼ିଥିଲା। ଏହି ସମୟରେ ଏକ ନାଗ ସାପ ଅମିନଙ୍କ ଘରେ ପଶିଥିବା ତା’ ନଜରରେ ପଡ଼ିଥିଲା। ନାଗକୁ ଦେଖିବା ପରେ ତା’ ବାଟ ଓଗାଳି ଥିଲା ଟାଇସନ୍‌। କିଛି ସମୟ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସାପଟିକୁ କାମୁଡ଼ି ଝୁଣି ମାରି ଦେଇଥିଲା। ଏହାସହ ନାଗର ଚୋଟ ବି ଖାଇଥିଲା। ତା’ ଭୁକିବା ଶୁଣି ପରିବାର ଲୋକେ ଦେଖିବା ବେଳକୁ ଟାଇସନ୍‌ ବିଷ ଜ୍ୱଳାରେ ଝଟପଟ ହେଉଥିଲା।

ହେଲେ ରାତି ପ୍ରାୟ ଅଢ଼େଇଟା ହୋଇଯାଇଥିବାରୁ କୌଣସି ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲା ନଥିଲା। ଅସହାୟ ଅବସ୍ଥାରେ ଅମିନ ସ୍ନେକ ହେଲ୍ପଲାଇନକୁ ଫୋନ୍ କରିଥିଲେ। ହେଲେ କେହି ତାଙ୍କୁ ସାହାଯ୍ୟ କରିପାରିନଥିଲେ। ଶେଷରେ ବିଷ ଜ୍ୱଳାରେ ଟାଇସନ୍‌ର ଜୀବନ ଚାଲିଯାଇଥିଲା।

ଆହୁରି ପଢ଼ନ୍ତୁ

You might also like