କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଇବା ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା

ଭୁବନେଶ୍ୱର: କରୋନା ସମ୍ପର୍କିତ ତଥ୍ୟ ଲୁଚାଇବା ଅଭିଯୋଗରେ ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଆଜି ସରକାରୀ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ତଥ୍ୟ ଲୁଚାଇଥିଲେ।

ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଜି ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଛି। ଏହାସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ତୃତୀୟ ରୋଗୀ ପ୍ରଥମେ ବିଧାନସଭା ପରିସରରେ ଥିବା ଜୋନାଲ ଡିସପେନସାରୀର ମେଡିକାଲ ଅଫିସର ଡାକ୍ତର ବେହେରାଙ୍କ ପାଖକୁ ସ୍ୱାସ୍ଥ୍ୟଗତ ପରାମର୍ଶ ପାଇଁ ଯାଇଥିଲେ। ନିଜର ଚିକିତ୍ସା କରିଥିଲେ। ମାତ୍ର ସମ୍ପୃକ୍ତ ରୋଗୀଜଣକ ବାହାରୁ ଆସିଥିବା ଜାଣି ମଧ୍ୟ ଡାକ୍ତର ବେହେରା କାହାରିକୁ ଏ ସମ୍ପର୍କରେ ସୂଚନା ଦେଇନଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଡାକ୍ତରଙ୍କ ସାମାନ୍ୟ ଭୁଲ୍ ପାଇଁ ଏବେ ବିଧାନସଭା କର୍ମଚାରୀମାନେ ବିପଦରେ ପଡ଼ିଛନ୍ତି। ଯେଉଁଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ବିଧାନସଭାର ଅଧିବେଶନକୁ ଲୋକସେବା ଭବନରେ କରିବାକୁ ପଡ଼ିଛି।

ଏହି କାରଣରୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଡାକ୍ତର ବେହେରାଙ୍କୁ ତତ୍କାଳ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନଯିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

You might also like