ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ପ୍ରତିବାଦରେ ଧାରଣା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆଜି ଆଉଟ୍‌ଡୋର୍‌ ଆଗରେ ଡାକ୍ତରଙ୍କ ସମେତ ହସ୍ପିଟାଲ କର୍ମଚାରୀ ଧାରଣା ଦେଇଥିଲେ।

ଫଳରେ ଆଉଟ୍‌ଡୋର୍‌ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ଘଟଣାସ୍ଥଳରେ ଉପଜିଲ୍ଲାପାଳ, ସିଡିଏମଓ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ସ୍ଥାନୀୟ ବିଧାୟକ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ।

ମେଡିକାଲ ପରିସରରେ ପୁଲିସ୍‌ ଆଉଟପୋଷ୍ଟ ସ୍ଥାପନ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ହଟିଥିଲା।

ଗତକାଲି ରାତିରେ ତିନି ଜଣ ଯୁବକ ଦୁର୍ଘଟଣା ପରେ ଡାକ୍ତରଖାନା ଆସିଥିଲେ। ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ନାଁ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ନିକଟରେ ଥିବା ସିକ୍ୟୁରିଟି ଗାର୍ଡ ବି ଏଥିରୁ ବର୍ତ୍ତି ନ ଥିଲେ।

ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ପରେ ହସ୍ପିଟାଲ୍‌ର ବିଭିନ୍ନ ଆସବାବପତ୍ର ସହ କବାଟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like