କ୍ୟାନ୍‌ସର ରୋଗୀ ବୋଲି ତଳ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଦେଲେ ଡାକ୍ତର !

ବଲାଙ୍ଗିର: ଭୀମଭୋଇ ମେଡିକାଲରେ କ୍ୟାନସର ପୀଡ଼ିତା କର୍ମଚାରୀଙ୍କୁ ମେଡିକାଲ ଅଧିକ୍ଷକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଚାକିରୀ ଯିବା ପରେ ପୁଣି ଥରେ ନିଯୁକ୍ତି ପାଇଁ ହାରିଗୁହାରି କରିବାକୁ ଯାଇଥିବାବେଳେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ହସ୍‌ପିଟାଲ ସୁପରିଣ୍ଟେଣ୍ଡେଣ୍ଟ।

ବଡ଼ ପାଟିରେ ତାଙ୍କ ସମ୍ପର୍କୀୟଙ୍କୁ ଗାଳିଗୁଳଜ କରିବା ସହ ତଣ୍ଟି ଚିପିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା କର୍ମଚାରୀ। ଯାହାର ପ୍ରତିଟି ଚିତ୍ର କ୍ୟାମେରାରେ କଏଦ ହୋଇଛି।

ସାରତି ନାଗ ନାମକ ଜଣେ କର୍ମଚାରୀ ଦୀର୍ଘ ୧୨ ବର୍ଷ ଧରି ହସପିଟାଲରେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବରେ କାମ କରୁଥିଲେ। ଗତବର୍ଷ ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ। ତେବେ ଲମ୍ବା ସମୟର ଚିକିତ୍ସା ପରେ ଗତ ସେପ୍ଟେମ୍ବର ୧ ତାରିଖରେ ସାରତି ପୁଣି କାମରେ ଯୋଗ ଦେଇଥିଲେ। କିନ୍ତୁ ୬ ତାରିଖରେ ବଲାଙ୍ଗିରରେ ବନ୍ୟା ଯୋଗୁ ସେ କାମକୁ ଯାଇ ପାରିନଥିଲେ। ଏହାପରେ ତାଙ୍କୁ ବହିଷ୍କାର କରିଦେଇଥିଲେ ଅଧିକ୍ଷକ ଡାକ୍ତର ନାରାୟଣ ଆଚାର୍ଯ୍ୟ। ସାରତି ବାରମ୍ବାର କାମ ପାଇଁ ହାରି ଗୁହାରି କରିଥିଲେ ବି ନାରାୟଣ କିଛି ଶୁଣିନଥିଲେ।

ଗତ ୧୨ ତାରିଖରେ ସାରତି କିଛି ସମ୍ପର୍କୀୟଙ୍କ ସହ ଯାଇ ମେଡ଼ିକାଲ ଅଧିକ୍ଷକଙ୍କୁ ପୁଣି ଥରେ ଗୁହାରି କରିଥିଲେ। ହେଲେ ଦୁର୍ବ୍ୟବହାର କରିବା ସହ କ୍ୟାନସର ରୋଗୀ ହୋଇଥିବାରୁ କାମ ଦିଆଯିବ ନାହିଁ ବୋଲି ଅଧିକ୍ଷକ ନାରାୟଣ ଆଚାର୍ଯ୍ୟ କହିଥିବା ଅଭିଯୋଗ କରିଛନ୍ତି ସାରତି। ଏପରିକି ସାଙ୍ଗରେ ଯାଇଥିବା ଗୌତମ ଦୋରାଙ୍କୁ ଗାଲିଗୁଳଜ କରି ଅଧିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି।

ତେବେ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ମେଡିକାଲ ଅଧିକ୍ଷକ ଡାକ୍ତର ନାରାୟଣ ଆଚାର୍ଯ୍ୟ। ତେବେ କର୍ମଚାରୀଙ୍କ ପ୍ରତି ନାରାୟଣଙ୍କ ଏଭଳି ଦୁର୍ବ୍ୟବହାର ନୂଆ ନୁହେଁ। ଏହାପୂର୍ବରୁ ମଧ୍ୟ  ଜଣେ ମହିଳା ରୋଗୀଙ୍କୁ ଆଇ.ସି.ୟୁ ଭିତରେ ଦୁର୍ବ୍ୟବହାର କରି ବିବାଦକୁ ଆସିଥିଲେ ନାରାୟଣ।

You might also like