ଅପରେସନ୍ ବେଳେ ପ୍ରସୂତିଙ୍କ ଶରୀରରେ ରହିଗଲା ଛୁଞ୍ଚି
ନୟାଗଡ଼: ଅପରେସନ୍ ବେଳେ ପ୍ରସୂତିଙ୍କ ଶରୀରରେ ରହିଗଲା ଛୁଞ୍ଚି। ଚିକିତ୍ସାରେ ଏଭଳି ଚରମ ଅବହେଳା ଘଟଣା ଏବେ ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସଙ୍କ ଅବହେଳା ଯୋଗୁ ସମ୍ପୃକ୍ତ ମହିଳାଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତ ୨୫ ତରାଖରେ ଖଣ୍ଡପଡ଼ା ଥାନା ଗୋଛିବାରୀ ଗାଁରେ ପ୍ରଭାତ ବାହୁକଙ୍କ ପତ୍ନୀ ପ୍ରସବ ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସନ୍ତାନ ପ୍ରସବ ବେଳେ ତାଙ୍କର ସାମାନ୍ୟ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ତେବେ ଷ୍ଟିଚ୍ ବେଳେ ଏକ ଛୁଞ୍ଚି ଭିତରେ ରହିଯାଇଥିଲା।ପରେ ଅସହ୍ୟ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବହୁ ଚେଷ୍ଟା ପରେ ମଧ୍ୟ ଛୁଞ୍ଚିଟି ନ ବହାରିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।
ମାତ୍ର ଏହି ଦମ୍ପତି ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ସହ ଚିକିତ୍ସା ପାଇଁ ନିବେଦନ କରିଛନ୍ତି।