ଅପରେସନ କରୁ କରୁ ପେଟରେ ଛୁଞ୍ଚି ଛାଡିଦେଲେ ଡାକ୍ତର

ଏ କେମିତିକା ଡାକ୍ତର?

କୋରାପୁଟ: ଡାକ୍ତରଙ୍କ ଭୁଲ ଯୋଗୁଁ ଯମ ଯନ୍ତ୍ରଣା ସହିଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଠା ଗାଁର ସାବିତ୍ରୀ ମାଝୀ। ଚାରି ଚାରିଟା ହସ୍ପିଟାଲ ବୁଲିବାକୁ ପଡ଼ିଲା। କାରଣ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ତାଙ୍କ ଗର୍ଭରେ ଛୁଞ୍ଚି ରହିଯାଇଥିଲା। ଏଥିପାଇଁ ଜୟପୁରରେ ଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସେଠାରୁ କୋରାପୁଟ ମେଡିକାଲ କଲେଜ, ସେଠାରୁ ବ୍ରହ୍ମପୁର MKCG ହସ୍ପିଟାଲ ଓ କଟକ ବଡ଼ ମେଡିକାଲ ଯିବାକୁ ପଡ଼ିଲା। ଶେଷରେ କଟକରେ ଅପରେସନ ସଫଳ ହୋଇଛି ଏବଂ ସାବିତ୍ରୀଙ୍କ ଗର୍ଭରୁ ଛୁଞ୍ଚିଟି ବାହାର କରାଯାଇଛି।

ଏଇ ବର୍ଷ ମାର୍ଚ୍ଚ ୧୬ ତାରିଖରେ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାବିତ୍ରୀଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲା। ଏହି ସମୟରେ ଛୁଞ୍ଚି ଭାଙ୍ଗି ଯାଇ ତାଙ୍କ ଗର୍ଭରେ ରହି ଯାଇଥିଲା। ଡାକ୍ତରଙ୍କ ଅବହେଳାରୁ ସାବିତ୍ରୀଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଛି, ଏପରିକି ଅଳ୍ପକେ ବର୍ତ୍ତିଛି ତାଙ୍କ ଜୀବନ। ଯେଉଁ ଡାକ୍ତର ଅପରେସନ କରିଥିଲେ, ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ CDMO ଅଭିଯୋଗକୁ ସ୍ୱୀକାର କରିଛନ୍ତି।

ତେବେ ଏନେଇ ନିଜେ ପ୍ରତିକ୍ରିୟା ରଖିଛନ୍ତି ସାବିତ୍ରୀ। ସେ କହିଛନ୍ତି ଯେ, ଅପରେସନ କରୁ କରୁ ପେଟରେ ଡାକ୍ତର ଛୁଚିଂ ରଖିଦେଇଥିଲେ। ଏହା ପରେ ସବୁବେଳେ ପେଟ କାଟୁଛିଲା। କଷ୍ଟରେ କାନ୍ଦି କାନ୍ଦି ରହିଥିଲି ମୁଁ। ସୁସ୍ମିତା ମ୍ୟାଡ଼ମ ମୋର ଅପରେସନ କରିଥିଲେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଅପରେସନ କରି ଏମିତି ଅବସ୍ଥା କରିବା ପରେ ମୁଁ ବାରମ୍ବାର ମେଡିକାଲ ଯାଇଥିଲି ହେଲେ କିନ୍ତୁ କୌଣସି ଲାଭ ହେଲା ନାହିଁ। ଏ ମେଡିକାଲରୁ ସେ ମେଡିକାଲ ଖାଲି ଦୌଡିଥିବା ସେ କହିଛନ୍ତି।

ସେପଟେ ଆଶାକର୍ମୀ କହିଛନ୍ତି ସେମାନେ ଭିତରେ କଣ କରୁଛନ୍ତି ତାହା ଆମେ ଦେଖୁନାହୁଁ। X-ray କରିବା ପରେ ଆମେ ଜାଣିପାରିଥିଲୁ ଯେ ପେଟରେ ଛୁଚିଂ ରହିଯାଇଛି। ପରେ କଟକ ମେଡିକାଲରେ ଅପରେସନ ହେଲା ଆଉ ଛୁଚିଂ ବାହାରିଲା ବୋଲି ଆଶାକର୍ମୀ କହିଛନ୍ତି। ହେଲେ ଏମିତି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା କାହିଁକି ଡାକ୍ତରମାନେ ସାବଧାନ ହେଉନାହାନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ।

You might also like