ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟ ଯନ୍ତ୍ରଣାର ଖୋଲିଲା ରହସ୍ୟ

ପୁରୀ: ଅସ୍ତ୍ରୋପଚାର କରିବାକୁ ଯାଇ ମହିଳାଙ୍କ ପେଟରେ ଗଜକନା ଛାଡ଼ିଦେଲେ ଡାକ୍ତର। ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ। ଜେନଫ୍ ବେଗମ୍ ନାମକ ଜଣେ ପ୍ରସୂତି ଗତ ୬ ମାସ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସେଠାରେ ସେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। କିନ୍ତୁ ଘରକୁ ଫେରିବା ପରଠୁ ସଂପୃକ୍ତ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଅଧିକ ଯନ୍ତ୍ରଣା ହେବାରୁ ପୁଣି ଥରେ ଭୁବନେଶ୍ୱରର ସେହି ହସ୍ପିଟାଲକୁ ଯାଇଥିଲେ ସେ।

ତେବେ ଡାକ୍ତର ତାଙ୍କୁ ଅଲଟ୍ରା ସାଉଣ୍ଡ କରି ଅସ୍ତ୍ରୋପଚାର ପାଇଁ କହିଥିଲେ। ଏହାଶୁଣିବା ପରେ କଟକକୁ ଯାଇ ଏକ ଘରୋଇ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କରାଇଥିଲେ ସଂପୃକ୍ତ ମହିଳା। ଅଲଟ୍ରାସାଉଣ୍ଡ ରିପୋର୍ଟରେ ପେଟରେ ଗଜକନା ଥିବା ଜଣାପଡ଼ିଥିଲା।

ଶେଷରେ ୬ ମାସ ପରେ ଅସ୍ତ୍ରୋପଚାର କରି ପେଟ ଭିତରୁ ପ୍ରାୟ ଦେଢ ଫୁଟ ଲମ୍ବର ଏକ ଗଜ କନାକୁ କଢ଼ା ଯାଇଥିଲା। ବର୍ତ୍ତମାନ ସଂପୃକ୍ତ ମହିଳା ସୁସ୍ଥ ଥିବା ଜଣାପଡ଼ିଛି।

ଏନେଇ ମହିଳା ଜଣଙ୍କ କହିଛନ୍ତି, ‘୬ ମାସ ତଳେ ମୋର ଏକ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ପରେ ମୋର ପେଟର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ଡାକ୍ତରଙ୍କ ନିକଟକୁ ଯାଇଥିଳି ଓ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ମୋ ପେଟରେ ଟ୍ୟୁମର ହୋଇଥିବା ଜାଣିଲି। ଶେଷରେ ପେଟରୁ ମୋର ଗଜ କପଡା ବାହାରିଥିଲା।’

You might also like