ତ୍ରିକୋଣୀୟ ପ୍ରେମକୁ ନେଇ ଡାକ୍ତରଙ୍କ ବର୍ବରକାଣ୍ଡ

ବ୍ୟାଙ୍କ କର୍ମଚାରୀଙ୍କୁ କ୍ଲିନିକ୍‌ରେ ୩ ଖଣ୍ଡ କରି ପୋତି ଦେଇଥିବା ଅଭିଯୋଗ

ବ୍ରହ୍ମପୁର: ବୀଭତ୍ସ, ବର୍ବର, ଭୟଙ୍କର ଏହି ହତ୍ୟାକାଣ୍ଡ । ଖଣ୍ଡ ବିଖଣ୍ଡିତ ମୃତଦେହରୁ ହତ୍ୟାକାଣ୍ଡର ସୁରାଗ୍ ଖୋଜୁଛି ପୁଲିସ। ପରିତ୍ୟକ୍ତ ସ୍ଥାନରୁ ମୃତଦେହ ଉଦ୍ଧାର କରି ପୁଲିସ ଚଳାଇଛି ଛାନ୍‌ଭିନ୍‌। ୨୫ ଦିନର ନିଖୋଜ ପରେ ବ୍ରହ୍ମପୁର ଆମ୍ବପୁଆ ନିକଟ ବଡ଼ଗୁମୁଳାରେ ମାଟି ତଳୁ ମିଳିଛି ଗଳିତ ମୃତଦେହ। ବିଷ୍ଣୁପ୍ରସାଦଙ୍କୁ ହତ୍ୟା କରି ପୋତି ଦିଅାଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଏହା ତ୍ରିକୋଣୀୟ ପ୍ରେମର ପରିଣତ ବୋଲି ଅାଶଙ୍କା କରାଯାଉଛି। ଅାଉ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ହତ୍ୟା ପଛର ମୁଖ୍ୟ ଖଳନାୟକ ହେଉଛନ୍ତି ଗାୟତ୍ରୀ କ୍ଲିନିକର ମାଲିକ ଡାକ୍ତର ହୃଷିକେଶ ତ୍ରିପାଠୀ।

ଅଗଷ୍ଟ ୧୮, ୨୦୧୮ । ଗାୟତ୍ରୀ କ୍ଲିନିକରେ କାମ କରୁଥିବା ଜଣେ ନର୍ସଙ୍କ ଘରକୁ ଯାଇଥିଲେ ବିଷ୍ଣୁ। ଦୀର୍ଘ ଦିନ ଧରି କୁଅାଡ଼େ ସଂପୃକ୍ତ ନର୍ସଙ୍କ ସହ ବିଷ୍ଣୁଙ୍କ ପ୍ରେମ ସମ୍ପର୍କ ଥିଲା। ଅାଉ ତା ପରଠୁ ସେ ହୋଇଯାଇଥିଲେ ନିଖୋଜ। ଏନେଇ ବିଷ୍ଣୁଙ୍କ ପତ୍ନୀ ନର୍ମଦା ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ତଥାପି କୌଣସି ସୁରାଗ୍ ପାଇନଥିଲା ପୁଲିସ। କିନ୍ତୁ ଗତ ୯ ତାରିଖରେ ବିଷ୍ଣୁଙ୍କ ପତ୍ନୀ ଏବଂ ଭାଇଙ୍କ ମୋବାଇଲକୁ ଏକ ଅଜଣା ବ୍ୟକ୍ତିଙ୍କ କଲ୍‌ ଅାସିଥିଲା। ଏହି ଫୋନ୍ କଲରୁ ହିଁ ପୁଲିସ ସୁରାଗ୍ ପାଇ ପ୍ରଥମେ ଡାକ୍ତରଙ୍କ ଘରୋଇ ସହାୟକ ଭାବେ କାମ କରୁଥିବା ଗଙ୍ଗାଧର ବେହେରାଙ୍କୁ ପଚରାଉଚରା କଲା।

ଅାଉ ଗଙ୍ଗାଧର ହିଁ ସବୁ ଘଟଣାର କରିଥିଲେ ପର୍ଦ୍ଦାଫାସ। କ୍ଲିନିକ୍ ଭିତରେ ଡାକ୍ତର ହତ୍ୟା କରିବା ପରେ ବିଷ୍ଣୁଙ୍କ ମରଶରୀରକୁ ୩ ଖଣ୍ଡ କରିଥିଲେ। ତାପରେ ଗଙ୍ଗାଧର ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ଏକ କାର୍‌ରେ ମୃତଦେହକୁ ନେଇଯାଇଥିଲେ ଅାମ୍ବପୁଅା ନିକଟକୁ। ସେଠାରେ ଏକ ଗାତରେ କେମିକାଲ ପକାଇ ପୋତି ଦେଇଥିଲେ ମୃତଦେହକୁ। ଏହି ଘଟଣାରେ ପୁଲିସ ସହଯୋଗୀ ଗଂଗାଧର ବେହେରାଙ୍କୁ ଗିରଫ କରିବା ସହ ସଂପୃକ୍ତ ନର୍ସଙ୍କୁ ନିଜ ହେପାଜତରେ ରଖି ପଚରାଉଚରା କରୁଛି।

You might also like
Comments
Loading...