ଡାକ୍ତରଙ୍କ ଆକାଉଣ୍ଟକୁ ଖୋଳ କରିଦେଲେ ସାଇବର ଠକ

କଟକ: ଡାକ୍ତରଙ୍କୁ କଳାକନା ବୁଲାଇଲେ ସାଇବର ଠକ। ୭ ଦିନରେ ଲୁଟିନେଲେ ୭୭ ଲକ୍ଷ ଟଙ୍କା।  ସିଡିିଏ ସେକ୍ଟର-୭ର ଜଣେ ଡାକ୍ତର ଠକାମୀର ଶିକାର ହୋଇଛନ୍ତି। ତାଙ୍କ ଠାରୁ ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକିଛନ୍ତି। ଏତେ ପରିମାଣର ସାଇବର  ଠକେଇ ଓଡିଶା ଇତିହାସରେ ବୋଧହୁଏ ପ୍ରଥମ।  ଗତ ୯ତାରିଖରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ୍‌ ଆସିଥିଲା।

ମୋବାଇଲ ସିମ୍ ଆକ୍ଟିଭ କରିବା ବାହାନାରେ ବିଶ୍ୱାସ ଜନ୍ମାଇ ଆକାଉଣ୍ଟ ନମ୍ବର, ସିଭିଭି ନମ୍ବର ମାଗିଥିଲେ। ଏହି ନମ୍ବର ଗୁଡିକ ଦେବା ପରେ ମୋବାଇଲକୁ ଆସିଥିବା ଓଟିପି ନମ୍ବର ବି ମାଗିଥିଲେ। ସବୁ ଡାଟା ନେଇଗଲା ପରେ ଡାକ୍ତରଙ୍କ ଆକାଉଣ୍ଟରେ କଳାକନା ବୁଲାଇ ଦେଇଥିଲେ। ଏମିତିକି ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ବି ଟଙ୍କା ନେଇଯାଇଛନ୍ତି। ଫେବ୍ରୁଆରୀ ୯ରୁ ୧୫ ଭିତରେ ୭୭ ଲକ୍ଷ ୮୬ ହଜାର ଟଙ୍କା ନେଇଯାଇଛନ୍ତି। ଠକେଇ ନେଇ ସାଇବର ଥାନାରେ ସଂପୃକ୍ତ ଡାକ୍ତର ଏତଲା ଦେଇଛନ୍ତି।

ମୋ ଫୋନ୍‌କୁ ଗୋଟିଏ ମେସେଜ୍ ଆସିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ- ଆପଣଙ୍କ ବିଏସ୍‌ଏନ୍‌ଏଲ୍ ନମ୍ବରରେ ରିଚାର୍ଜ ନକଲେ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ଗୋଟିଏ ନମ୍ବରରେ ଫୋନ୍‌ କରିବା ପାଇଁ ସେଥିରେ କୁହାଯାଇଥିଲା। ମୁଁ ସେହି ନମ୍ବରରେ କଲ୍ କରିବା ପରେ ସେହି ନମ୍ବର ପ୍ରଥମେ ଯୋଗାଯୋଗ ହୋଇପାରିନଥିଲା। ମୁଁ କିଛି ସମୟ ପରେ କଲ୍ କରିଥିଲି। ମେସେଜ୍‌ ଆସିବା ସମ୍ପର୍କରେ କଲ୍ କରିଥିଲି। ସେମାନେ ମଧ୍ୟ ସମାନ କଥା କହିଥିଲେ। ସେମାନେ କିନ୍ତୁ ଅନ୍‌ଲାଇନ୍‌ ଆକ୍ଟିଭ କରିବା କହିଥିଲେ। ପ୍ରଥମେ ଡେବିଟ୍‌ କାର୍ଡରେ ୧୦ ଟଙ୍କା କାଟିବାକୁ କହିଥିଲେ। ସେମାନେ ପ୍ଲେ ଷ୍ଟୋର୍‌ରୁ କ୍ୱିକ୍ ଷ୍ଟାର୍ଟ ଖୋଲିବା ପାଇଁ କହିଥିଲେ। ବ୍ୟାଙ୍କର ସବିଷେଶ ତଥ୍ୟ ସେଥିରେ ଦେବା ପାଇଁ କହିଥିଲେ। ପରେ ଓଟିପି ମାଗିଥିଲେ। ଓଟିପି ଦେବାପରେ ୯୦ ପ୍ରତିଶତ କାମ ହୋଇଗଲା ବୋଲି ସେମାନେ କହିଥିଲେ।
-ଠକେଇ ଶିକାର ଡ଼ାକ୍ତର

କିଛି ଦିନ ତଳେ ଅନଲାଇନରେ ଓ୍ୱାସିଂମେସିନ୍ ବିକିବା ବେଳେ ଜଣେ ଅଧ୍ୟାପିକା ଠକାମିର ଶିକାର ହୋଇଥିଲେ। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିବା ନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ।

You might also like