ବୁର୍ଲା ଭିମ୍ସାର କୋଭିଡ୍ ହସ୍ପିଟାଲ ICUରେ ନାଚିଲେ ଡାକ୍ତର ଓ ନର୍ସ

ଏକାଠି ନାଚିରେ ଡାକ୍ତର ଓ ନର୍ସ

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭିମସାର୍‌ କୋଭିଡ୍ ହସ୍ପିଟାଲ ICUରେ ନାଚିଲେ ଡାକ୍ତର ଓ ନର୍ସ। ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ଲାଗି ବିଭିନ୍ନ ଗୀତର ତାଳେ ତାଳେ ନାଚିଛନ୍ତି ଡାକ୍ତର ଓ ନର୍ସ। PPE କିଟ୍ ପିନ୍ଧି ରୋଗୀଙ୍କ ସ୍ୱାସ୍ଥ୍ୟ ସୁଧାରିବାରେ ସର୍ବଦା ଚେଷ୍ଟିତ କରୋନା ଯୋଦ୍ଧାଙ୍କୁ, ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଏଭଳି ନାଚିବା ଦେଖି ଖୁସିରେ ତାଳି ମାରିଥିଲେ ଚିକିତ୍ସାଧୀନ ରୋଗୀ।

ତେବେ କିଛି ଦିନ ତଳେ ବୁର୍ଲା ମେଡିକାଲରେ ନର୍ସମାନେ ଆନ୍ଦୋଳନ କରିଥିଲେ। ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଥିଲେ। ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଥିଲେ ନର୍ସ। ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ। ନିଜ ଜୀବନକୁ ବାଜି ରଖି କରୋନା ବିପକ୍ଷରେ ଲଢେଇ କରୁଥିବା ଏହି କୋଭିଡ ଯୋଦ୍ଧା ମାନେ ଗତ ତିନି ମାସ ହେଲା ଦରମା ପାଇ ନାହାନ୍ତି ବୋଲି ଅଭିଯୋଗ କରିଥିଲେ। କୋଭିଡ ସମୟରେ ବିନା ଦରମାରେ କାମ କରିବା ନର୍ସମାନଙ୍କ ପାଇଁ କଷ୍ଟକର ହେବାରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଦରମା ପ୍ରଦାନ ପାଇଁ ଜଣାଇଥିଲେ।

କିନ୍ତୁ କେହି ନଶୁଣିବାରୁ ଶେଷରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିଥିଲେ ନର୍ସମାନେ। ଏପରିକି ହସପିଟାଲ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣାରେ ମଧ୍ୟ ବସିଥିଲେ ନର୍ସ। ତା ସହିତ ଏ.ଡି.ଏମ.ଓଙ୍କୁ ମଧ୍ୟ କିଛି ସମୟ ପାଇଁ ଘେରାଉ କରିଥିଲେ ଉତ୍ୟକ୍ତ ନର୍ସ। ତେବେ ପରିସ୍ଥିତିକୁ ନଜରରେ ରଖି ପୋଲିସ ମଧ୍ୟ ମୁତୟନ କରାଯାଇଥିଲା। ନର୍ସମାନେ ଆନ୍ଦୋଳନ କରୁଥିବାରୁ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଥିଲା।

ତେବେ ରାଜ୍ୟରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଯାହାକୁ ନେଇ ଚିନ୍ତା ବଢିଛି। ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ରହିଛି। କଟକରୁ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୬୭, ସୁନ୍ଦରଗଡ଼ରୁ ୭୦୩, ମୟୂରଭଞ୍ଜରୁ ୫୩୮, ବାଲେଶ୍ୱରରୁ ୫୨୪, ପୁରୀରୁ ୪୨୪ ବରଗଡ଼ରୁ ୩୯୫, ସମ୍ବଲପୁରରୁ ୩୯୩, ନୟାଗଡ଼ରୁ ୩୮୨, ଯାଜପୁରରୁ ୩୭୮, ଜଗତସିଂହପୁରରୁ ୩୨୫, ବୌଦ୍ଧରୁ ୩୧୩, ବଲାଙ୍ଗିରରୁ ୨୯୪, କୋରାପୁଟରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି

You might also like