ଭୁବନେଶ୍ୱର: ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ମାରାତ୍ମକ ବ୍ଲାକ୍ ଫଙ୍ଗସ୍(Black Fungus) ରୋଗ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବା ଲୋକଙ୍କ ଠାରେ ଦେଖା ଦେଉଛି ବ୍ଲାକ୍ ଫଙ୍ଗସ୍। ମୁଖ୍ୟତଃ ଡାଇବେଟିସ୍, କ୍ୟାନସର୍, କିଡ୍ନୀ ଓ ହାର୍ଟ ସମସ୍ୟା ଥିବା କରୋନା ରୋଗୀ କରୋନାରେ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହେଉଛନ୍ତି।
କରୋନା ରୋଗୀଙ୍କ ଚିକତ୍ସା ପାଇଁ ମାତ୍ରାଧିକ ଷ୍ଟେରଏଡ୍ ବ୍ୟବହାର ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଆଶଙ୍କାକୁ ବଢ଼ାଉଛି। ବ୍ଲାକ୍ ଫଙ୍ଗସ୍ ରୋଗୀର ନାକ, ଆଖି ଓ ମସ୍ତିଷ୍କକୁ ନଷ୍ଟ କରି ଦେଉଛି। ଏ ରୋଗରେ ହାରାହାରି ମୃତ୍ୟୁ ହାର ୫୦ ପ୍ରତିଶତ ରହିଛି। ତେବେ ପ୍ରାରମ୍ଭିକ ଚିହ୍ନଟ ଦ୍ୱାରା ଏହି ରୋଗର ଉପଚାର ସମ୍ଭବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।
ଜାଣନ୍ତୁ ବ୍ଲାକ୍ ଫଙ୍ଗସ୍କୁ ନେଇ ସମ୍ ଅଲଟିମେଟ୍ର ଇଏନ୍ଟି ଓ ସ୍କଲ୍ ବେସ୍ ସର୍ଜରୀର ଡାକ୍ତର ମାଧବ ସାହୁ କ’ଣ କହୁଛନ୍ତି…
- ବ୍ଲାକ୍ ଫଙ୍ଗସ୍ ପୂର୍ବରୁ ମଧ୍ୟ ଥିଲା। ହେଲେ ଏବେ ଏହା ନୂଆ ରୂପ ନେଇ ଆସିଛି। ମହାମାରୀ କରୋନା ସମୟରେ ଏହି ରୋଗ ସମସ୍ତଙ୍କ ପାଇଁ ଆହୁରି ଚିନ୍ତା ବଢ଼ାଇ ଦେଇଛି।
- ନାକ ମାଧ୍ୟମରେ ବ୍ଲାକ୍ ଫଙ୍ଗସ୍ ଶରୀର ଭିତରକୁ ପ୍ରବେଶ କରି ଏହାକୁ ନଷ୍ଟ କରିବା ପରେ ଏହା ଆଖି, ମସ୍ତିଷ୍କକୁ ନଷ୍ଟ କରିଥାଏ।
- ଶରୀରରେ ଥିବା ଛୋଟ ଛୋଟ vesselsକୁ ଏହା ବନ୍ଦ କରି ଦେଉଛି। ଯଦି ଏହା ବ୍ଲଡ୍ vesselsକୁ ବନ୍ଦ କରିଦିଏ, ତା’ହେଲେ ଏହା ପଚି ଯାଇ କଳା ପଡ଼ିଯିବ। ଏଥିପାଇଁ ଏହାର ନାଁ Black Fungus ରଖାଯାଇଛି।
କେମିତି ବ୍ଲାକ୍ ଫଙ୍ଗସ୍ରୁ ରକ୍ଷା ପାଇବେ ?
- ଯଦି ଜଣେ ଡାଇବେଟିସ୍ ରୋଗୀ କରୋନାରେ ଆକ୍ରାନ୍ତ ହେଉଛନ୍ତି, ତା’ହେଲେ ତୁରନ୍ତ ତାଙ୍କର ସୁଗାରକୁ କଣ୍ଟ୍ରୋଲ କରନ୍ତୁ। ଯଦି ସୁଗାର କଣ୍ଟ୍ରୋଲ କରାଯାଏ, ତା’ହେଲେ ବ୍ଲାକ୍ ଫଙ୍ଗସ୍ ସମ୍ପୃକ୍ତ ରୋଗୀଙ୍କ ଶରୀରରେ ପ୍ରବେଶ କରିବାର ସମ୍ଭାବନା ବହୁତ କମ୍ ।
- ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ କିଛି ନ ଭାବିକି ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଷ୍ଟେରଏଡ୍ ଦିଆଯିବା ସହ ବହୁତ ମେଡିସିନ୍ ମଧ୍ୟ ଦିଆଯାଉଛି। ଯଦି ଏହି ମେଡିସିନ୍ ସବୁକୁ ଠିକ୍ ଭାବେ ପ୍ଲାନିଂ କରି ଦିଆଯାଏ, ତା’ହେଲେ ବ୍ଲାକ୍ ଫଙ୍ଗସ୍କୁ ରୋକା ଯାଇପାରିବ।
- କରୋନା ରୋଗୀଙ୍କୁ ଦିଆଯାଉଥିବା ଅକ୍ସିଜେନ୍ ସିଲିଣ୍ଡର ପାଇପ୍, ମାସ୍କ ଇତ୍ୟାଦିକୁ ଠିକ୍ ଭାବେ ସାନିଟାଇଜ୍ କରିବା ଉଚିତ୍।
- ଅନ୍ୟ କରୋନା ରୋଗୀ ମଧ୍ୟ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହୋଇପାରନ୍ତି। ଯେଉଁ କରୋନା ରୋଗୀଙ୍କ ଡାଇବେଟିସ୍ ନାହିଁ, ହେଲେ ତାଙ୍କୁ ମାତ୍ରାଧିକ ଷ୍ଟେରଏଡ୍ ଦିଆଯାଇଛି। ଫଳରେ ତାଙ୍କ ଇନ୍ୟୁନିଟି ଯଦି କମି ଯାଏ, ତା’ହେଲେ ବ୍ଲାକ୍ ଫଙ୍ଗସ୍ ଶରୀର ଭିତରେ ପ୍ରବେଶ କରିଥାଏ। ଇନ୍ୟୁନିଟି କମିଲେ ମାତ୍ରେ ଏହା ଶରୀରରେ ଭିତରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍।