ଅଖ୍ୟାତ ପଲ୍ଲୀର ଏମାନେ ନାୟକ ନାୟିକା

୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ।  ସେହିପରି ଏଥର ୬ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ମିଳିବ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ପାଇବେ। ସମାଜ ସେବା ଲାଗି ଶାନ୍ତି ଦେବୀ, କଳା ଲାଗି ପୂଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ମେଡିସିନ୍ ପାଇଁ ଓଡ଼ିଶାର ଡ. କୃଷ୍ଣ ମୋହନ ପାଠୀ ପଦ୍ମଶ୍ରୀ ପାଇବେ।

 

  • ପୂର୍ଣ୍ଣମାସୀ ଜାନୀ: ସଂଗୀତ, ସନ୍ନ୍ୟାସ ଆଉ ସାହିତ୍ୟ। ୩ଟି କ୍ଷେତ୍ରକୁ ଏକତାର ସୂତ୍ରରେ ବାନ୍ଧି ଉପାନ୍ତରେ ବାଟ ଚାଲୁଥିବା କନ୍ଧମାଳ ଚାରିପଡ଼ାର ଆଶୁକବି ପୂର୍ଣ୍ଣମାସୀ ଜାନୀ। ନିରକ୍ଷର ହେଲେ ବି ତୁଣ୍ଡେ ତୁଣ୍ଡେ କବିତା ବୋଲନ୍ତି। ଗୀତରେ ଗୀତରେ ବେସାହାରାଙ୍କୁ ସେ ରାହା ଦେଖାନ୍ତି, ସାମାଜିକ ସମସ୍ୟାର ସମାଧାନ କରନ୍ତି। ଇତିମଧ୍ୟରେ ସେ ଗାଇଛନ୍ତି ପ୍ରାୟ ୧୦ ହଜାର ଭଜନ ସହ ଜଣାଣ। ରୋଚକ କଥା ହେଉଛି, ତାଙ୍କ ମୁଖ ନିସୃତ ଭଜନ ଆଉ ଜଣାଣ କିମ୍ବା କବିତା କେହି କାହା ସହ ସମ୍ପର୍କ ରଖିନଥାନ୍ତି କିମ୍ବା କୌଣସି କବିତାର ପୁନରାବୃତ୍ତି ହୋଇନଥାଏ। ଜଣେ ମହିଳା ହେଇ ବି ନିଜ ଅଞ୍ଚଳରେ ଟାଡିସରୁ ବାବା ନାମରେ ପରିଚିତ ପୂର୍ଣ୍ଣମାସୀ। କାରଣ ୧୯୬୯ ମସିହାରେ ଟିକାବାଲି ନିକଟ ଚପଲମେଣ୍ଡି ଟାଡିସରୁ ପାହାଡ଼ର ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତି ହୋଇଥିଲେ।
  • ଶାନ୍ତି ଦେବୀ: ସେବା ଲାଗି ଜୀବନବ୍ୟାପି ଉତ୍ସର୍ଗୀକୃତ ଆଉ ଜଣେ କିମ୍ବଦନ୍ତୀ ଓଡ଼ିଆ ତଥା ସ୍ୱଛ, ଶାନ୍ତ ଆଉ ସରଳଭାବର ବ୍ୟକ୍ତିତ୍ୱ ଶାନ୍ତି ଦେବୀ। ୧୯୩୪ରେ ବାଲେଶ୍ୱର ଜିଲ୍ଲାର ଏକ ଜମିଦାର ପରିବାରରେ ଜନ୍ମ ହୋଇଥିଲେ ବି ସମୟକ୍ରମେ ସ୍ୱାମୀ ଡାକ୍ତର ରତନ ଦାସଙ୍କ ସହ ଚାଲିଆସିଥିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାକୁ। ସେଠାରେ ଏକ ଆଶ୍ରମ କରି ଦୂରାରୋଗର ଶିକାର ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କରୁଥିଲେ। ବିନୋବା ଭାବେଙ୍କ ସହ ମିଶି ଭୂମିହୀନଙ୍କୁ ସହାୟତା କରୁଥିଲେ। ଆଦିବାସୀ ଝିଅଙ୍କ ପାଇଁ ରାୟଗଡ଼ାରେ ଆଶ୍ରମ ପ୍ରତିଷ୍ଠା କରି ନିଜ ପ୍ରଚେଷ୍ଟାରେ ଶିକ୍ଷା ଓ ସଂସ୍କାର ସହ ସମାଜରେ ପ୍ରତିଷ୍ଠା ଲାଗି ଉଦ୍ୟମ କରିଥିଲେ। ଅନାଥ ପିଲାଙ୍କ ପାଇଁ ବି ସେ ପାଲଟିଯାଇଥିଲେ ମା। ଆଜି ସେହି ଉତ୍ସର୍ଗୀକୃତ ସେବାକୁ ମିଳିଛି ସମ୍ମାନ।
  • ନନ୍ଦ କିଶୋର ପୃଷ୍ଟି: ଯାଜପୁର ଜିଲ୍ଲା ସୁକିନ୍ଦା କନ୍ତିରା ଗାଁ ଚାଟଶାଳୀର ନନ୍ଦ ମାଷ୍ଟ୍ରେ ଓରଫ୍ ନନ୍ଦ କିଶୋର ପୃଷ୍ଟି। ଶତକ ପାରି ହୋଇ ୧୦୩ ବର୍ଷ ବୟସରେ ପାଦ ଥାପିଲେଣି। ତଥାପି ଚପଳ ମନ ଆଉ ପ୍ରାଣ। ଗଛମୂଳେ ପିଲାଙ୍କୁ ପାଠ ପଠାଇବା ଭିତରେ ସେ ଭୁଲି ଯାଆନ୍ତି ନିଜ ବୟସକୁ। ଶିକ୍ଷାଦାନ ପାଇଁ କେବେ ବି କାହାଠୁ ପାରିଶ୍ରମିକ ନେଇନାହାଁନ୍ତି। ଏ ସମ୍ପର୍କରେ ଓଟିିଭିରେ ଆମେ ଖବର ବି ପ୍ରସାରଣ କରିଥିଲୁ। ତାଙ୍କ ସମାଜ ପ୍ରତି ତାଙ୍କର ଇଛା ଆଉ ଆବେଗକୁ ସାମ୍ନାକୁ ଆଣିଥିଲୁ। ୩ ପିଢ଼ି ଧରି ପାଠ ପଢ଼ାଇ ଆସୁଥିବା ନନ୍ଦ ସାରଙ୍କ ଚାଟଶାଳୀକୁ ଏବେ ପୁରିଛି ୭୫ ବର୍ଷ। ଆଜି ବି ପୂର୍ବଭଳି ଗାଁ ଦାଣ୍ଡରେ ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀରେ ଭିଡ଼ ଜମେ। ଯେଉଁଠି ଆଜି ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ।

ଏହି ୩ ବିରଳ ବ୍ୟକ୍ତିତ୍ୱଙ୍କ ବ୍ୟତୀତ ଭାସ୍କର୍ଯ୍ୟ କଳାରେ ନିପୁଣତା ପାଇଁ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ, ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ଏବଂ ମେଡିସିନ୍ ପାଇଁ ଡାକ୍ତର କୃଷ୍ଣ ମୋହନ ପାଠୀଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି।

ଯାଜପୁରରୁ ଅଭୟ ପତି, ଗୁଣୁପୁରରୁ ଇନ୍ଦ୍ରଜିତ ପଣ୍ଡା, ଫୁଲବାଣୀରୁ ତ୍ରିନାଥ ସାହୁ ଏବଂ ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ
You might also like