ବିତର୍କରେ କୃଷିଋଣ ଛାଡ ପ୍ରସଙ୍ଗ: ନିର୍ବାଚନୀ ପ୍ରତିଶ୍ରୁତି ନ କରିବାକୁ ରାଜନଙ୍କ ବୟାନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଋଣଛାଡ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। କିଛି ଦିନ ତଳେ ଉଭୟ ଦିଲ୍ଲୀ ଓ ଭୁବନେଶ୍ୱରର ଏ ଚିତ୍ର ଦେଖିବାକୁ ମିଳିଛି। ଏଣୁ ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ୧୯ ନିର୍ବାଚନରେ ଋଣଛାଡ ନିଷ୍ପତ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ହେବ ଏକ ପ୍ରମୁଖ ଅସ୍ତ୍ର।

ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନରେ ବି କୃଷିଋଣ ଛାଡ ଘୋଷଣା କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବାରେ ଏକ ପ୍ରମୁଖ ଭୂମିକା ନେଇଥିଲା। ତେଣୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି କେନ୍ଦ୍ର ସରକାର କୃଷି ରଣ ଛାଡ କରିପାରନ୍ତି। ତେବେ କୃଷିରଣ ଛାଡକୁ ନିର୍ବାଚନ ପ୍ରତିଶ୍ରୁତି ଭାବେ ଘୋଷଣା କରିବାକୁ ବିରୋଧ କରିଛନ୍ତି ରଘୁରାମ ରାଜନଙ୍କ ପରି ଅର୍ଥନୀତିଜ୍ଞ।

ରଘୁରାମଙ୍କ ଏ ବୟାନ କୃଷିଋଣ ଛାଡ ପ୍ରସ୍ତାବକୁ ନେଇ ସୃଷ୍ଟି କରିଛି ବିତର୍କ। ଯଦି କେନ୍ଦ୍ର ସରକାର କୃଷିଋଣ ଛାଡ କରନ୍ତି ତା ହେଲେ ୪ ଲକ୍ଷ କୋଟି ଟଙ୍କା ଦରକାର। ଆଉ ଯଦି ଓଡିଶାରେ କୃଷି ରଣ ଛାଡ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତି। ତେବେ ୫୪ ଲକ୍ଷ ୨୪ ହଜାର ଚାଷୀଙ୍କର ୨୬ ହଜାର ୬୦୬ କୋଟି ଟଙ୍କାର ଋଣ ବୋଝ ପଡ଼ିବ।

ସମବାୟ ବିଭାଗ ଅଧିନରେ ଗତବର୍ଷ  ରବି ଓ ଖରିଫରେ ୧୧ ହଜାର ୫ କୋଟି ଟଙ୍କା କୃଷି ଋଣ ଦିଆଯାଇଥିଲା। ଏବର୍ଷ ରବିରେ ଦିଆଯାଇଛି ୬ ହଜାର ୮୦୦ କୋଟି। ପୂର୍ବରୁ ଯଦିଓ ସରକାର କୃଷିଋଣ ଛାଡ କରିବା ନେଇ ବିଚାର କରୁଛନ୍ତି ବୋଲି କୃଷିମନ୍ତ୍ରୀ କହିଥିଲେ। ଏବେ କିନ୍ତୁ ଏ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।

ପ୍ରାଇସ୍‌ ପେଷ୍ଟିଜ୍‌ ପେନସନ ଦାବିରେ ଚାଷୀ ଆନ୍ଦୋଳନ କରୁଥିବା ବେଳେ ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ଆର୍ଥିକ ବୋଝ ସହିବା ଏତେ ସହଜ ନୁହେଁ। ଅର୍ଥନୀତି ବିଷାରଦଙ୍କ ମତରେ ଏହା ବିତ୍ତୀୟ ନିଅଣ୍ଟକୁ ବଢାଇବ।

ଏପଟେ କ୍ଷମତାକୁ ଆସିଲେ କୃଷିଋଣ ଛାଡ ସହ ଚାଷୀଙ୍କ ପାଇଁ ଅନେକ ଲୋଭନୀୟ ଯୋଜନା ଆଣିବାକୁ କଂଗ୍ରେସ ଘୋଷଣା କରିସାରିଛି। ବିଜେପି ମଧ୍ୟ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବ ବୋଲି କହିଛି। ତେବେ ବିଜେଡି କିନ୍ତୁ ଏବେ ଏହି ପ୍ରସଙ୍ଗରେ ମାପିଚୁପି ଉତ୍ତର ରଖୁଛି।

ପୂର୍ବରୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଓ କର୍ଣ୍ଣାଟକ ପରି ରାଜ୍ୟ କୃଷି ଋଣ ଛାଡ କରିଛନ୍ତି। ୨୦୦୮ମସିହାରେ ୟୁପିଏ ସରକାର ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରୁ ୬୦ ହଜାର କୋଟିର କୃଷି ଋଣ ଛାଡ କରିଥିଲା।

You might also like