ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଏଥିଲାଗି ଆମକୁ ସଜାଗ ରହିବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ଗତକାଲି ସମୀକ୍ଷା ପରେ ଯାହା ନିର୍ଦେଶ ଦେଇଛନ୍ତି ତାକୁ ମାନିବାକୁ ପଡିବ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଛତିଶଗଡ଼ ସୀମାନ୍ତ ଜିଲ୍ଲାର ଲୋକମାନେ ଯାତାୟାତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ୁଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ବହୁ ପ୍ରଭାବିତ ରାଜ୍ୟରୁ ଲୋକମାନେ ରାଜଧାନୀକୁ ଆସୁଥିବାରୁ ସଂଖ୍ୟା ବଢ଼ୁଛି ।

ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍କ୍ରିନିଂ କରିବା ଦ୍ୱାରା ଏହା ଜଣାପଡୁଛି । ଗତଥର କୋଭିଡ ସମୟରେ ଯେଉଁ ପ୍ରସ୍ତୁତି ଥିଲା ତାକୁ ଆଧାର କରି ଆଗକୁ ବଢିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଡିଏମ୍ଇଟି । ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି । ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ  । ରାତିରେ କ୍ଳବ ଓ ପାର୍ଟି ରେ ଯେଉଁ ଗହଳି ହୋଇଥାଏ ।  ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି । କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି । ଆଇସିୟୁ, ବେଡ଼, ଭେଣ୍ଟିଲେଟର ବିଶେଷ ଆବଶ୍ୟକତା ରହୁନି ବୋଲି ଡିଏମ୍ଇଟି କହିଛନ୍ତି ।

ସେପଟେ ରଜ୍ୟରେ ସରି ଆସିଲାଣି କୋଭିଡ୍ ଟିକା ।  ରାଜ୍ୟକୁ ଦୁଇ ଦିନ ଭିତରେ କୋଭିସିଲଡ୍ ଭାକ୍ସିନ୍ ନ ଆସିଲେ ବାଧାପ୍ରାପ୍ତ ହୋଇପାରେ ଟିକାକରଣ ପ୍ରକ୍ରିୟା । ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।  ଟିକା ଅଭାବ ଯୋଗୁଁ ବିଭିନ୍ନ ଜିଲ୍ଲାର ୪ ଶହଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଗଲାଣି ।  ବର୍ତ୍ତମାନ ରାଜ୍ୟରେ ୧ ହଜାର ୧୦୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଚାଲିଛି ।  ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ମେଲ୍ ଓ ଚିଠି କରାଯାଇଛି, ମାତ୍ର ସେପଟୁ ଉତ୍ତର ଆସିନଥିବା ବିଜୟ କହିଛନ୍ତି ।

ଟିକାର ଅଭାବ ଯୋଗୁଁ ଭ୍ୟାକ୍ସିନେସନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରୁନାହିଁ ।  ୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଛି ।  ମାତ୍ର ଗତକାଲି ୩ ଲକ୍ଷ ୪୯ ହଜାର ୧୩୦ କୋଭିସିଲଡ୍ ଟିକା ପହଁଚିଛି । ଏହା ସତ୍ତ୍ୱେ ମଧ୍ୟ ଆହୁରି କୋଭିସିଲ୍ଡ ଟିକାର ଆବଶ୍ୟକତା ରହିଛି । ବର୍ତ୍ତମାନ ୧ ଲକ୍ଷ ୮୫ ହଜାର କୋଭିସିଲଡ୍ ଟିକା କୋଲଡ୍ ଚେନ ପଏଣ୍ଟରେ ରହିଛି । ଅନ୍ୟପଟେ କୋଭସ୍କିନ ଟିକା ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Other Stories