ଆଗକୁ ବଢ଼ିପାରେ କରୋନା ସଂକ୍ରମଣ: DMET

  • ରାଜ୍ୟରେ ଆଗକୁ ଆହୁରି ବଢ଼ିପାରେ କରୋନା ସଂକ୍ରମଣ
  • ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି: DMET
  • ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବର ଆକ୍ଟିଭ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
  • ଲୋକାଲ ସ୍ତରରେ ସଂକ୍ରମିତ ଥିଲେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଗ୍ରାଫ ଉପର ମୁହାଁ। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ‘ଆଗକୁ ବଢ଼ିପାରେ କରୋନା ସଂକ୍ରମଣ। ତେବେ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ଏବେ ସ୍ଥିତି ଭଲ ଅଛି। କିନ୍ତୁ ସତର୍କ ନ ରହିଲେ ଆଗକୁ ଆହୁରି ସ୍ଥିତି ବିଗିଡି ଯିବ। କରୋନା ମୁକାବିଲା ପାଇଁ ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବର ଆକ୍ଟିଭ୍‌ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀ ଖୋଜିବା ଖାଲି ସରକାରଙ୍କ ଦାୟିତ୍ୱ ନୁହେଁ। ଏ ଦିଗରେ ଲୋକଙ୍କ ଦାୟିତ୍ୱ ବି ରହିଛି। ଲୋକାଲ ସ୍ତରରେ ସଂକ୍ରମିତ ଥିଲେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରନ୍ତୁ।

ଡିଏମ୍ଇଟି କହିଛନ୍ତି, ‘ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦେଖିଲେ, ସ୍ଥିତି ପୂର୍ବ ଅପେକ୍ଷା ଖରାପ ଅଛି। କିନ୍ତୁ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି। ଏହା ଅର୍ଥ ନୁହେଁ ଯେ, ଆମେ ଖାମ୍‌ଖିଆଲି ହେବା। ଭବିଷ୍ୟତ ପାଇଁ ମଧ୍ୟ ଆମେ ପ୍ରସ୍ତୁତ ରହିବା। କାରଣ ଆଗକୁ ବି କରୋନା ସଂକ୍ରମଣ ବଢ଼ିପାରେ। ଯଦିଓ ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି, କିନ୍ତୁ ସେହି ତୁଳନାରେ ମୃତ୍ୟୁ ହାର କମ୍‌ ରହୁଛି’।

ଟିକା ନେଲେ ମୃତ୍ୟୁହାର କମିବ। କିନ୍ତୁ ଜଣେ ଟିକା ନେଇଗଲେ ଯେ କୋଭିଡରୁ ସମ୍ପୂର୍ଣ୍ଣ ବର୍ତ୍ତିଯିବ ସେକଥା ନୁହେଁ।  ଲୋକେ ନିୟମ ମାନି ଚଳିଲେ କୋଭିଡ ଚେନରେ ବ୍ରେକ୍ ଲାଗିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସୂଚନା ଥାଉ କି, ରାଜ୍ୟରେ ଆଜି ୪,୪୪୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କ୍ୱାରେଣ୍ଟିନ ସେଣ୍ଟରରୁ ୨,୫୭୪ ଏବଂ ଲୋକାଲ କଣ୍ଟାକ୍ଟ ରହିଛି ୧,୮୭୧। ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଆଜି ଏଠାରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେପଟେ, କିଛି ଜିଲ୍ଲାରେ TMC ଖୋଲିଛି । ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯,୦୦୮ଟି ସାଧାରଣ ବେଡ୍‌ ରହିଛି। ସେଠି ୧୭.୫ % ରୋଗୀ ଅଛନ୍ତି।

You might also like