ସରକାରୀ ସୁବିଧା ଯୋଗାଇବା ନାଁରେ ବିଶ୍ୱାସରେ ଦେଲେ ବିଷ
ବାଲେଶ୍ୱର: ଅସହାୟ ଅବସ୍ଥାରେ ସାହା ହେବାର ପ୍ରତିଶ୍ରୁତି ଦେଇଥିଲେ। ସେଇ ପ୍ରତିଶ୍ରୁତି ଉପରେ ଭରସା ରଖି କାଗଜପତ୍ର ଦେଇଥିଲେ । ହେଲେ ଯାହାକୁ ସେ ଭରସା କରିଥିଲେ ସେମାନେ ତାଙ୍କୁ ଏବେ ବିପଦ ମୁହଁକୁ ଠେଲି ଦେଇଛନ୍ତି। ଭତ୍ତା କରାଇଦେବେ ବୋଲି କହି ଦିବ୍ୟାଙ୍ଗଙ୍କଠାରୁ ଦସ୍ତଖତ ଓ କାଗଜପତ୍ର ନେଲେ। ଏହା କାଗଜପତ୍ର ଜରିଆରେ ଦିବ୍ୟାଙ୍ଗଙ୍କ ନାଁରେ ବ୍ୟାଙ୍କରୁ ଲୋନ୍ କରି ଛୁ ମାରିଛନ୍ତି । ଦୀର୍ଘ ବର୍ଷ ପରେ ଲୋନ୍ ସୁଝିବା ଲାଗି ନୋଟିସ ଆସିବା ପରେ ଦିବ୍ୟାଙ୍ଗ ଏବେ ହତାଶ ହୋଇପଡ଼ିଛନ୍ତି।
ପିଠାହତା ପଞ୍ଚାୟତ ଚାପଲସାହିର ସୀତାମଣି କିସ୍କୁ ଗୋଡ଼ ଖରାପ ଯୋଗୁଁ ଭଲରେ ଚାଲି ପାରୁନାହାନ୍ତି। ସେ ୬୦ ପ୍ରତିଶତ ଦିବ୍ୟାଙ୍ଗ। ହେଲେ ତାଙ୍କ ପାଖକୁ ବାଲେଶ୍ୱର ଛତ୍ରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୧୯ ହଜାର ୩୮୯ ଟଙ୍କା ଲୋନ୍ ଓ ସୁଧ ୧୫ ହଜାର ୪୦୨ ଟଙ୍କା ସୁଝିବା ଲାଗି ନୋଟିସ ପଠାଇଛି। ଦିନେ କାଳେ ବ୍ୟାଙ୍କ ଦୁଆର ମାଡ଼ିନଥିବା ସୀତାମଣି କେବେ ଲୋନ ଆଣିଥିଲେ? ଖୋଳତାଡ଼ କରିବା ପରେ ମନେ ପଡ଼ିଥିଲା, ୧୦ ବର୍ଷ ପୂର୍ବେ ସ୍କୁଲରେ ପଢୁଥିବାବେଳେ ଦିବ୍ୟାଙ୍ଗ ଭତ୍ତା ପାଇଁ ସେ କାଗଜପତ୍ର ଓ ଦସ୍ତଖତ ଦେଇଥିଲେ। ଯାହା ବି ହେଉ, ଏହି ନୋଟିସ ପାଇବା ପରେ ସେ ଏବେ ଭାଙ୍ଗି ପଡ଼ିଛନ୍ତି।
ଠିକ୍ ସେମିତି, ଝରଣାଘାଟି ଗାଁର ବାଲିଂ ସିଂଙ୍କ ଝିଅ ଇନ୍ଦ୍ରମଣି ପିଲାଟି ବେଳୁ ମାନସିକ ଭାରସାମ୍ୟ ହରାଇବା ସହ ୮୦ ପ୍ରତିଶତ ଦିବ୍ୟାଙ୍ଗ । ତାଙ୍କ ନାଁରେ ମଧ୍ୟ ଦିବ୍ୟାଙ୍ଗ ଭତ୍ତା କରାଇ ଦେବାକୁ କହି କେହି ବ୍ୟକ୍ତି ଲୋନ୍ କରିନେଇଛି। ଏବେ ତାଙ୍କ ନାଁରେ ୧୬ ହଜାର ୭୨୨ ଟଙ୍କାର ଲୋନ୍ ଓ ୧୩ ହଜାର ୩୨୩ ଟଙ୍କାର ସୁଧ ସୁଝିବାକୁ ନୋଟିସ ଆସିଛି।
ବ୍ୟାଙ୍କ ପକ୍ଷରୁ ୩୪ ହାଜାର ଟଙ୍କା ସୁଝିବାକୁ କୁହାଯାଇଛି। ଭତ୍ତା କରାଇଦେବାକୁ କହି ମୋ ଦସ୍ତଖତ ନେଇଗଲେ। ବାପା, ମା’ ବି କାଗଜପତ୍ର ଦେଇଦେଲେ। ମୁଁ ଛୋଟ ଥିଲି, ଜାଣି ପାରିଲିନି।
-ସୀତାମଣି କିସ୍କୁ, ଅଭିଯୋଗକାରୀଣି
ଆମେ ସେ ବିଷୟରେ ଅଜ୍ଞ ଥିଲୁ। ଝିଅର ଭତ୍ତା କରାଇଦେବେ ବୋଲି ଡକ୍ୟୁମେଣ୍ଟ ନେଇଗଲେ। ଫଟୋ, ଟିପ ଚିହ୍ନ, ଦସ୍ତଖତ ଆଦି ନେଇଗଲେ।
-ବାଲି ସିଂ, ଝରଣାଘାଟି ବାସିନ୍ଦା
କେବଳ ସୀତାମଣି କି ଇନ୍ଦ୍ରମଣି ନୁହଁ, ବ୍ୟାଙ୍କରେ ଥିବା ଜମାଖାତାରେ ନିଜସ୍ୱ ବିବରଣୀ ଅପଡେଟ୍ ପାଇଁ ଡକ୍ୟୁମେଣ୍ଟ ଦେଇଥିବା ରତ୍ନାକର ବି ଲୋନ୍ ଟଙ୍କା ସୁଝିବାକୁ ନୋଟିସ ପାଇଛନ୍ତି। ସେ କେବେ ହେଲେ ବି ଲୋନ୍ ଆଣିନଥିଲେ, ହେଲେ ଏବେ ୫୯ ହଜାରରୁ ଅଧିକ ଟଙ୍କା ସୁଝିବାକୁ ନୋଟିସ ପାଇଥିବା କହିଛନ୍ତି।
ମୁଁ ଏ ବିଷୟରେ କିଛି ବି ଜାଣିନି। ମୁଁ ବ୍ୟାଙ୍କରୁ କିଛି ବି ଲୋନ୍ ଆଣିନି କିନ୍ତୁ ଲୋନ୍ ସୁଝିବା ନେଇ ନୋଟିସ୍ ପାଇଲି। ବର୍ତ୍ତମାନ ମୁଁ ଅସୁବିଧାରେ ପଡ଼ିଛି। ଜଣେ ବ୍ୟକ୍ତି ମୋ ଡକ୍ୟୁମେଣ୍ଟ ନେଇ ଏଭଳି କାମ କରିଥିବା ମୁଁ ଜାଣିବାକୁ ପାଇଛି।
-ରତ୍ନାକର ସିଂ, ଅଭିଯୋଗକାରୀ
ଏନେଇ ଗ୍ରାମ୍ୟ ବ୍ୟାଙ୍କର ସହକାରୀ ପରିଚାଳକଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିଛନ୍ତି। ତାଙ୍କ ପିରିୟଡ଼ରେ ସେମିତି କିଛି ହୋଇ ନଥିବାରୁ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।
ସେତେବେଳେ କଣ ହୋଇଛି ମୁଁ ଜାଣିନି। ନଜାଣି କିଛିବି କହିଲେ ମୁଁ ଅସୁବିଧାରେ ପଡ଼ିବି।
-ଦୀନବନ୍ଧୁ କବାଟ, ଆସିଷ୍ଟାଣ୍ଟ ମ୍ୟାନେଜର, ଛତ୍ରପୁର ଗ୍ରାମ୍ୟ ବ୍ୟାଙ୍କ
ରିପୋର୍ଟ: ରଶ୍ମିରଞ୍ଜନ ଦାସ ଓ ବିଶ୍ୱମ୍ବର ଦାସ