ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଉ କିଏ କିଏ ସଂପୃକ୍ତ ? କେଉଁ ମଦ ଓ ବାଲି ମାଫିଆଙ୍କ ସହ ସମ୍ପର୍କରେ ଥିଲେ ପ୍ରଦୀପ ? ଏହି ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଭାବେ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରି ପରେ ପ୍ରତିକ୍ରିୟା ରଖିଛନ୍ତି ସାନୁଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା।
ସୋରଡ଼ାରେ ଶହେ ଏକରରୁ ଅଧିକ ଜମି ପ୍ରଦୀପଙ୍କ ନାଁରେ ରହିଛି। ଜଙ୍ଗଲ ଜମିକୁ ମାଡ଼ି ବସିଛନ୍ତି ବିଧାୟକ। ଏଭଳି କେବଳ ପ୍ରଦୀପଙ୍କ ସହ ତାଙ୍କ ଦୂର୍ନୀତି ଓ ଅପରାଧରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେଉ। ଜିଲ୍ଲାର ଅନେକ ବିଧାୟକ, ପଞ୍ଚାୟତ ଅଧ୍ୟକ୍ଷ ତାଙ୍କ ସହ ସାମିଲ ରହିଛନ୍ତି।
ଜିଲ୍ଲାର ମଦ, ବାଲି ମାଫିଆ ତାଙ୍କ ସହ ସମ୍ପର୍କରେ ରହିଛନ୍ତି। ସେ ନେଇ ବି ତଦନ୍ତ କରାଯାଉ। ଜିଲ୍ଲାର ବିଭିନ୍ନ କଂଗ୍ରେସ କର୍ମୀ ଓ ତାଙ୍କ ନାଁରେ ମିଛ ମାମଲା ଦାଏର କରାଯାଇଥିଲା। ତାଙ୍କୁ ଜେଲ୍ ପଠାଇବାରେ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ଥିଲା ବୋଲି କହିଛନ୍ତି ରମେଶ ଜେନା। ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କୁ ଗିରଫ କରିବାରେ ବିଳମ୍ବ କରିଦେଲେ ବୋଲି ଦୋହରାଇଛନ୍ତି ରମେଶ।