ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍‌ ହେଲା କଳାହାଣ୍ଡିର ଏସବୁ ଅଞ୍ଚଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକରେ ପ୍ରଥମ କୋରନା ରୋଗୀ ଚିହ୍ନଟ ପରେ ସଂକ୍ରମଣ ନବ୍ୟାପିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।  ଜିଲ୍ଲା ପ୍ରଶାସନ ତିନିଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଏରିଆ ଭାବେ ଘୋଷଣା କରିଛି । ଏହି ଅଞ୍ଚଳସବୁ ହେଲା  ରାଗୁଡ଼ା, ପାଞ୍ଜିଆ ଓ ଖମାରହଳଦୀ।  ସେହିଭଳି ସୋସିଆ, ଆମ୍ବଗୁଡ଼ା ଓ ଘୋଟିଆ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ ।

ଏସବୁ ଅଞ୍ଚଳରେ କେବଳ ମେଡିକାଲ ଏମର୍ଜେନ୍ସିକୁ ବାଦ ଦେଇ କୌଣସି ସରକାରୀ କିମ୍ବା ଘରୋଇ ଯାନବାହନ ଜିଲ୍ଲାପାଳଙ୍କ ବିନା ଅନୁମତରେ ଚାଲିପାରିବ ନାହିଁ।  ଉଭୟ କଣ୍ଟେନମେଣ୍ଟ ଓ ବଫର ଜୋନରେ ରହୁଥିବା ଲୋକ ଘରେ ରହିବେ । ଅଞ୍ଚଳର ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିବ। ଜରୁରୀକାଳୀନ ସାମଗ୍ରୀ ଓ ମେଡିକାଲ ଆବଶ୍ୟକତା ଲାଗି ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏସବୁ ଅଞ୍ଚଳରେ ସଟଡାଉନ ପିରିୟଡ ଆଜି ସକାଳ ୭ଟାରୁ ଆରମ୍ଭ ହୋଇ ୧୪ ତାରିଖ ମଧ୍ୟରାତ୍ର ଯାଏଁ ଜାରି ରହିବ। ଜିଲ୍ଲାପାଳଙ୍କ ସୂଚନା ମୁତାବକ, କଳାହାଣ୍ଡିରେ କରୋନା ସଂକ୍ରମିତ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସମେତ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ସମସ୍ତଙ୍କୁ କ୍ୱାରେଣ୍ଟିନରେ  ରଖିବା ସହ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।  ଆକ୍ରାନ୍ତ ଯୁବକ ଜଣକ କିଛି ଦିନ ତଳେ ବାହାରିନରୁ ଫେରିଥିଲେ ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତାଙ୍କୁ କୋଭିଡ-୧୯ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

You might also like