ଟମାଟୋ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ ଚାଷୀ

ଜଗତସିଂହପୁର: ଚାଷ ଓ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। କିନ୍ତୁ ଚାଷୀ ଫସଲର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି।

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଞ୍ଚାୟତର ଟମାଟୋ ଚାଷୀ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି।  ବଜାରରେ ଟମାଟୋ କିଲୋ ପ୍ରତି ୨ରୁ ୩ଟଙ୍କାରେ ମୂଲ୍ୟରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ ଟମାଟୋ ବିକ୍ରି କରୁଥିବା କହିଛନ୍ତି। ଯୋରକୂଳ ଗାଁରେ ଚାଷୀ ପ୍ରାୟ ୧୦ ଏକରରୁ ଅଧିକ ଜମିରେ ଟମାଟୋ ଚାଷ କରିଥିଲେ। କିନ୍ତୁ ଟମାଟୋ ବିକ୍ରି ପାଇଁ ଉପଯୁକ୍ତ ମାର୍କେଟ ନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।

ଚାଷ ପାଇଁ ଋଣ କରିଥିବା ଟଙ୍କା କିପରି ପରିଶୋଧ କରିବେ ଏବେ ସେନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି।  ଅଭାବୀ ବିକ୍ରିକୁ ରୋକିବା ସହ ଉପଯୁକ୍ତ ମୂଲ୍ୟରେ ଟମାଟୋ ବିକ୍ରିର ସୁବିଧା କରିବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

You might also like