ମକା ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ
ନୂଆପଡ଼ା: ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି ମକା ଚାଷୀଙ୍କ ଚିନ୍ତା। ଚଳିତ ବର୍ଷ ବର୍ଷା ଅଭାବ ସତ୍ତ୍ୱେ ଜିଲ୍ଲାରେ ମକା ଚାଷ ଠିକ୍ ହୋଇଛି। ହେଲେ ଠିକ୍ ଅମଳ ବେଳକୁ ମଣ୍ଡି ନ ଖୋଲିବାରୁ ଚାଷୀ ବାଧ୍ୟ ହୋଇ କମ୍ ଦାମରେ ମକା ବିକୁଛନ୍ତି।
ମକା କ୍ୱିଣ୍ଟାଲ୍ ପିଛା ୯ଶହ ଟଙ୍କାରୁ ହଜାରେ ଟଙ୍କା ମଧ୍ୟରେ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଥିବା ମକା ଚାଷୀ କହିଛନ୍ତି।
ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ମୋଟ ୬ ହଜାର ୫୭୬ ହେକ୍ଟର୍ ଜମିରେ ମକା ଚାଷ ହୋଇଥିଲା। ଜିଲ୍ଲାର କୋମନା ବ୍ଲକ୍ରେ ୨ ହଜାର ୨୮୫ ହେକ୍ଟର୍ ଓ ଖଡ଼ିଆଳ ବ୍ଲକର ୮୨୦ ହେକ୍ଟର୍ ଜମିରେ ମକା ଚାଷ ହୋଇଥିଲା।
ଜିଲ୍ଲାରେ ମୋଟ ୨ ଲକ୍ଷ ୩୦ ହଜାର କ୍ୱିଣ୍ଟାଲରୁ ଅଧିକ ମକା ଉତ୍ପାଦନ ମଧ୍ୟ ହୋଇଛି। ହେଲେ ବଜାର ଅଭାବ ସହ ମଣ୍ଡି ଖୋଲାଯାଇ ନଥିବାରୁ ଚାଷୀ ମକା ମଞ୍ଜି ବିକ୍ରି କରିପାରୁନଥିବା ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଶୀଘ୍ର ଏଥିଲାଗି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ଜେହାଦ୍ ମହମ୍ମଦ୍ କହିଛନ୍ତି।