ଅଭାବୀ ବିକ୍ରି ହଳଦୀ ଚାଷୀଙ୍କ ପାଇଁ ହୋଇଛି କାଳ

ଫୁଲବାଣୀ: କୋଡ଼ି କୋଦାଳ ଧରି କ୍ଷେତରେ ଚାଷୀ କାମ କରୁଛନ୍ତି। ଶୀତ କାକରକୁ ଖାତିର ନକରି କାମରେ ଲାଗିଛନ୍ତି। ଏକର ଏକର ଜମି ଖୋଳିବା ପରେ ମାଟି ତଳୁ ବାହାରୁଛି କଞ୍ଚା ହଳଦୀ। କନ୍ଧମାଳ ଫିରିଙ୍ଗିଆ ଡମ୍ବାଦେଇ ଗାଁର ହଳଦୀ ବାହାରିବା ପରେ ତାକୁ ଗୋଟାଇ, ପାଣିରେ ଭଲ ଭାବେ ଧୋଇ, ନିଆଁରେ ସିଝାଇ ତାପରେ ଟାଣ ଖରାରେ ଶୁଖାଇବା ପରେ ଏହା ଖାଇବା ଉପଯୋଗୀ ହୋଇଥାଏ।  ଏତେ ସବୁ କାମ କରିବା ପରେ ବି ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନି। ସରକାର ସିଧାସଳଖ ଚାଷୀଙ୍କ ଠାରୁ ହଳଦି କ୍ରୟ କରୁନଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି।

ଆମେ ଯେତିକି ପରିଶ୍ରମ କରୁଛୁ, ସେଇ ପରିଶ୍ରମ ଫଳ ଆମେ ପାଉନୁ। କେବଳ ଆମର ପେଶା ପାଇଁ ଆମେ ଏଇ ଚାଷ କରୁଛୁ। ଯଦି କିଲୋ ଅତିକମ୍‌ରେ ୧୦୦ରୁ ୧୫୦ ଟଙ୍କା ସରକାର କିଣିଲେ ଭଲ ହୁଅନ୍ତା। 
– ନରୁତ୍ତମ କହଁର, ହଳଦୀ ଚାଷୀ

ଜିଲ୍ଲାରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ହଳଦୀ ଚାଷ ସହ ଜଡିତ ମାତ୍ର ଉଚିତ ମୂଲ୍ୟ ନ ପାଇବାରୁ ଚାଷରୁ ମୁହଁ ଫେରାଇବାକୁ ଚାଷୀ ବସିଲେଣି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ହଳଦୀର ସର୍ବନିମ୍ନ ମୂଲ୍ୟ ୬୦ ଟଙ୍କା ପ୍ରତି କିଲୋ ଧାର୍ଯ୍ୟ କରାଯାଇଛି। ଚାଷୀଙ୍କ ଠାରୁ କମ ଦରରେ ହଳଦୀ କିଣୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଥିବା ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ କହିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ହଳଦୀ ଚାଷୀଙ୍କ ପାଇଁ ସର୍ବନିମ୍ନ ମୂଲ୍ୟ କେଜି ପ୍ରତି ୬୦ ଟଙ୍କା ରଖାଯାଇଛି। ଯେଉଁ ଠକ ବ୍ୟବସାୟୀମାନେ କମ୍‌ ଦାମ୍‌ରେ କିଣି ନେଉଛନ୍ତି, ଚଢଉ କରିବା ପାଇଁ ଥାନା ଓ ଉପଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ମଝିରେ ମଝିରେ ଚଢଉ ମଧ୍ୟ ଜାରି ରହିଛି।
-ମନୋଜ କୁମାର ଦାସ, ଉପ-ନିର୍ଦେଶକ, ଉଦ୍ୟାନ ବିଭାଗ, କନ୍ଧମାଳ

ଚଳିତ ବର୍ଷ ଜିଲ୍ଲାରେ ପ୍ରାୟ ୧୩ ହଜାର ୭ ଶହ ହେକ୍ଟର ଜମିରେ ହଳଦୀ ଚାଷ ହୋଇଛି। ଏଥିରୁ ପ୍ରାୟ ୨୫ ହଜାର ମେଟ୍ରିକ୍ ଟନ୍ ଶୁଖିଲା ହଳଦୀ ଉତ୍ପାଦନ ହେବାର ସମ୍ଭାବନା ରହିଛି। ତେବେ ଆହୁରି ଅଧିକ ଜମିରେ ହଳଦୀ ଚାଷ ହେବାର ସୁଯୋଗ ରହିଛି। ଯେଉଁଥିରୁ ପ୍ରାୟ ୩୫ ହଜାର ମେଟ୍ରିକ୍ ଟନ୍ ଶୁଖିଲା ହଳଦୀ ଉତ୍ପାଦନ ହୋଇପାରିବ ତେବେ ଏଥିଲାଗି ସରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି

ରିପୋର୍ଟ: ତ୍ରିନାଥ ସାହୁ
You might also like