ପନିପରିବାର ଅଭାବି ବିକ୍ରି, ଚାଷୀକୁ ମିଳୁନି ପରିଶ୍ରମର ମୂଲ୍ୟ
ବରଗଡ଼: ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା। ତେବେ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ହଇରାଣ ହେଉଛନ୍ତି ଚାଷୀ।
ଭଲ ଚାଷ ହୋଇଥିଲେ ବି ଫସଲ ରଖିବାକୁ ଯାଗା ନାହିଁ। ପୁଣି ଶୀତଳ ଭଣ୍ଡାର ବି ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ।
ବରଗଡ଼ ଜିଲ୍ଲା ଜର୍ମୁଡ଼ା ଗାଁରେ ଚଳିତବର୍ଷ ଏକର ଏକର ଜମିରେ ଫୁଲକୋବି ଏବଂ ପତ୍ରକୋବି ଚାଷ କରିଥିଲେ ଚାଷୀ। ଚାଷ ବି ଭଲ ହୋଇଥିଲା। ମାତ୍ର ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ବେପାରୀଙ୍କୁ କମ୍ ଦରରେ ପନିପରିବା ବିକିବାକୁ ବାଧ୍ୟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ବେପାରୀମାନେ କ୍ଷେତରୁ ସିଧା ଟ୍ରକ୍ ଲଗାଇ ଫୁଲକୋବି ବୋହି ନେଉଛନ୍ତି।
ଟ୍ରକ୍ରେ ଲୋଡ୍ ହୋଇ ପୁରୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, କୋଲକତା ଭଳି ଯାଗାକୁ ଯାଇ ଚଢ଼ା ଦରରେ ବିକ୍ରି କରି ମାଲେମାଲ୍ ହେଉଛି ବେପାରୀ। ହେଲେ ପରିଶ୍ରମର ମୂଲ ପାଇପାରୁନି ଚାଷୀ।
ପନିପରିବାର ଅଭାବି ବିକ୍ରି ଯୋଗୁ ଆର୍ଥିକ କ୍ଷତି ସହିବାକୁ ପଡୁଥିବାରୁ ଚିନ୍ତାରେ ଅଛନ୍ତି ଚାଷୀ। ଏପରିକି ବିହନ, ଔଷଧ ତଥା ଶ୍ରମିକ ମଜୁରି ଖର୍ଚ୍ଚବି ବାହାରି ପାରିନଥିବା ଅଭିଯୋଗ ହୋଇଛି।
ଏ ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଶୀତଳ ଭଣ୍ଡାର ଖୋଲିବା ପାଇଁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଶୀତଳ ଭଣ୍ଡାର ଖୋଲାଯିବା ସହ ଅଭାବୀ ବିକ୍ରିର ଯେପରି ଶୀକାର ନ ହେବେ, ତା’ପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।