୨ ଟଙ୍କାରେ ବି ନେଲେନି, ମାଗଣାରେ ଚାଷୀ ବାଣ୍ଟିଲେ ଟମାଟୋ

୨ ଟଙ୍କାରେ ବି ନେଲେନି, ମାଗଣାରେ ବାଣ୍ଟିଲେ ଟମାଟୋ
ଟମାଟୋ ବିକ୍ରି ନ ହେବାରୁ ମାଗଣାରେ ବାଣ୍ଟିଦେଲେ ଚାଷୀ
ସୁନ୍ଦରଗଡ ବୀରମିତ୍ରପୁର ବଜାରର ଘଟଣା

ବୀରମିତ୍ରପୁର(ରାକେଶ କୁମାର ସାହୁ): ଟମାଟୋର ଅଭାବୀ ବିକ୍ରି। ୨ ଟଙ୍କାରେ ବି କେହି ନେଲେନାହିଁ, ମାଗଣାରେ ଟମାଟୋ ବାଣ୍ଟିଦେଲେ ଚାଷୀ। ଆଜି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବଜାରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କିଛି ଚାଷୀ ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ବଜାରରେ ଟମାଟୋ ବିକ୍ରି ହୋଇ ପାରି ନ ଥିଲା । ଏପରିକି କିଲୋ ପିଛା ୨ ଟଙ୍କା ଦରରେ ଦେଇଥିଲେ ମଧ୍ୟ କେହି ନେଇ ନଥିଲେ । ଫଳରେ ବାଧ୍ୟ ହୋଇ ମାଗଣାରେ ଟମାଟୋ ବାଣ୍ଟି ଦେଇଥିଲେ । ଚାଷୀମାନେ ପାଖାପାଖି ୧୪୦ ଟ୍ରେ ଟମାଟୋ ବାଣ୍ଟିଦେଇଥିବା ଜଣାପଡିଛି ।

ଆଜି ବୀରମିତ୍ରପୁର ପୌରାଞ୍ଚଳରେ ଲାଗିଥିବା ସାପ୍ତାହିକ ହାଟରେ ମାଗଣାରେ ମିଳିଲା ଟମାଟୋ। ନୂଆଗାଁରୁ ଚାଷୀମାନେ ୨ ଗାଡ଼ି ଟମାଟୋ ଆଣିଥିବା ବେଳେ, ଆଜି ବଜାରରେ ବିକ୍ରି ନହେବାରୁ ମାଗଣାରେ ବାଣ୍ଟି ଦେଇଛନ୍ତି। କିଛି ଦିନ ପୂର୍ବେ ଅଦିନିଆ ବର୍ଷା ଯୋଗୁ ଟମାଟୋ ଚାଷ ନଷ୍ଟ ହୋଇ ଯାଇଥିଲା l ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ କୌଣସି ଶୀତଳଭଣ୍ଡାର ନଥିବାରୁ ଏପରି ଦୟନୀୟ ପରିସ୍ଥିତି ଦେଇ ଗତି କରୁଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ । ଯାହା ଫଳରେ ଚାଷୀ ବାଧ୍ୟ ହୋଇ ଲୋକୋଙ୍କୁ ମାଗଣାରେ ଟମାଟୋ ଦେଉଛନ୍ତି l

ଅଭାବି ବିକ୍ରିର ଶିକାର ହୋଇଥିବା ଜଣେ ଚାଷୀ ମଙ୍ଗନ ଓରାମ କହିଛନ୍ତି, ପ୍ରାୟ ୫ ଏକରରୁ ଅଧିକ ଜମିରେ ଟମାଟୋ ଓ ଅନ୍ୟ ପନିପରିବା ଚାଷ କରିଛି। ଏବେ ଅତି କମରେ ପାଞ୍ଚ ଗାଡ଼ି ଟମାଟୋ ବାଡ଼ିରେ ପଡ଼ିରହିଛି । ଆଉ ବଜାରକୁ ଆଣୁନି । ବେପାରୀକୁ ବିକିଲେ ଟ୍ରେ ପିଛା ୩୦ ଟଙ୍କା ଦେବେ ବୋଲି କହୁଛନ୍ତି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନ୍ୟପଟେ ଏଥିରୁ ରକ୍ଷା ପାଇବାକୁ ନିଜ ବ୍ଲକ ନୂଆଗାଁରେ ଏକ ଶୀତଳଭଣ୍ଡାର କରିବାକୁ ସେ ଅନୁରୋଧ କରିଛନ୍ତି।

You might also like