ପ୍ରଶାସନ ଶୁଣିଲାନି, ଗାଁ ପାଇଁ ରାସ୍ତା ତିଆରି କଲେ ଗ୍ରାମବାସୀ

ମାଲକାନଗିରି: ଗ୍ରାମବାସୀଙ୍କ ପ୍ରୟାସରେ ଯୋଡି ହେଲା ରାଞ୍ଚି-ବିଜୟଓ୍ବାଡା କରିଡର । ମାସ ମାସ ଧରି ଦାବି କରିବା ସତ୍ତ୍ୱେ ଯେଉଁ କାମ ପ୍ରଶାସନ କରିପାରିଲା ନାହିଁ, ସେହି ରାସ୍ତାକୁ ମୋଟୁ ଗ୍ରାମବାସୀ ଗୋଟିଏ ଦିନରେ କରି ଦେଖାଇଛନ୍ତି।

ଗତ ଡିସେମ୍ବରରେ ସିଲେରୁ ନଦୀରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବ୍ରିଜ ନିର୍ମାଣ  କାର୍ଯ୍ୟ ଶେଷ ହୋଇଥିଲା । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମାତ୍ର ୩୩୨ ମିଟର ରାସ୍ତା ନିର୍ମାଣ ହୋଇପାରିନଥିଲା। ବାରମ୍ବାର ଜିଲ୍ଲାବାସୀ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରି ଆସୁଥିଲେ।  କିଛି ମାସ ଭିତରେ ଏହି କାମ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନ  ପ୍ରତିଶ୍ରୁତି ମଧ୍ୟ ଦେଇଥିଲା।  ହେଲେ ପ୍ରତିଶ୍ରୁତିର ୭ ମାସ ପରେ ବି କୌଣସି ପଦକ୍ଷେପ ନିଆଯାଇ ନଥିଲା।

ଏହି ରାସ୍ତା ଏତେ କର୍ଦ୍ଦମାକ୍ତ ଥିଲା ଯେ, ଗାଡ଼ି ମୋଟର କଥା ଛାଡ଼, ପାଦରେ ଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ମନେ ହେଉଥିଲା। ସେଥିପାଇଁ ଲୋକେ ଆନ୍ଧ୍ରକୁ ବୁଲି ବୁଲି ଯାଉଥିଲେ। ସବୁଠାରୁ ଦୁଃଖର କଥା, ମାତ୍ର  ୩୩୨ ମିଟର ରାସ୍ତା ପାଇଁ ମୋଟୁବାସୀ ଦେଢ ଶହ କିମି ବାଟ ବୁଲି ବୁଲି ଯାଉଥିଲେ।

ତେଣୁ ରାସ୍ତା ମରାମତି କାମ ପ୍ରଶାସନ ନ କରିବାରୁ ଗ୍ରାମବାସୀ ନିଜ କାମ ନିଜେ କରିବାକୁ ଶପଥ ନେଇଥିଲେ । ଗତକାଲି    ଗ୍ରାମବାସୀ ଏକାଠି ହୋଇଥିଲେ। ନିଜ ନିଜ ପାଖରେ ଥିବା ଗାଡିଗୁଡିକୁ ଗ୍ରାମବାସୀ ରାସ୍ତା କାମରେ ନିୟୋଜିତ କରିଥିଲେ। ଶେଷରେ ଟ୍ରକ ଟ୍ରକ ବାଲି ପକାଇ ଏହି ରାସ୍ତା ସମତୁଲ କଲେ।

ଆଉ ଏଣିକି ଲୋକଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହବାକୁ ପଡ଼ିବ ନାହିଁ । ଏପରିକି ଏହି ରାସ୍ତାରେ ଏଣିକି ବଡ଼ ବଡ଼ ଗାଡି ମଧ୍ୟ ସହଜରେ ଯାତାୟାତ କରିପାରିବ।

 

You might also like