ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଏଥିରେ କୁହାଯାଇଛି ଯେ, ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ସଭାପତି ହେବେ ଏଡିଏମ୍ ବା ଆଡିସନାଲ ଡିଷ୍ଟ୍ରିଟ ମାଜିଷ୍ଟ୍ରେଟ।

ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍ ହିଁ କଲେଜ ସଭାପତି ରହିବେ। ଏକାଧିକ ଏଡିଏମ୍ ଥିଲେ ଜିଲ୍ଲାପାଳ ଜଣେ ଏଡିଏମ୍‌ଙ୍କୁ ଦାୟିତ୍ୱ ଦେବେ। ସେହିଭଳି ସଦର ମହକୁମା ବାହାରେ ଥିବା କଲେଜର ମୁଖ୍ୟ ହେବେ ଉପଜିଲ୍ଲାପାଳ। ନିର୍ଦ୍ଦେଶନାମା ତତ୍କାଳ ଲାଗୁ ନେଇ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ସେପଟେ ସ୍ଥାନୀୟ ବିଧାୟକ କଲେଜ ପରିଚାଳନା କମିଟିର ସଭାପତି ରହିପାରିବେନି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ତେଜିଛି ବିବାଦ। ଅରୁଣଙ୍କ ନିଷ୍ପତ୍ତିରେ କେଁ ପୂରେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ। ସଭାପତି ନରଖିଲେ ଅନ୍ତତଃ ସଦସ୍ୟ ରଖ ବୋଲି ଦାବି କରିଛନ୍ତି ସୁଶାନ୍ତ। ବିଧାୟକ ପରିଚାଳନା କମିଟିରେ ନରହିଲେ ଭିତ୍ତିଭୂମିର ବିକାଶ ହୋଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। ସେପଟେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକୁ ବିରୋଧୀ ବି ସମାଲୋଚନା କରିଛନ୍ତି।

ଭିନ୍ନକ୍ଷମ ସଶକ୍ତରଣ ମନ୍ତ୍ରୀ ଅଶୋକ ପଣ୍ଡା

ଅନ୍ୟପଟେ ଭିନ୍ନକ୍ଷମ ସଶକ୍ତରଣ ମନ୍ତ୍ରୀ ଅଶୋକ ପଣ୍ଡା କିନ୍ତୁ ମାପିଚୁପି ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ପରିଚାଳନା କମିଟିରେ ରହିଲେ, ନରହିଲେ କିଛି ଫରକ ନାହିଁ। କଲେଜର ବିକାଶରେ ବିଧାୟକଙ୍କ ସହଯୋଗ ରହିବ।

ତେବେ ଗତକାଲି ଅଭିଭାବକ ମହାସଂଘ ସମ୍ମଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ହେବା ପରେ ସେ ଆଉ ମୁହଁ ଖୋଲିନାହାନ୍ତି।

କଲେଜ ପରିଚାଳନା କମିଟିରେ ନିର୍ବାଚିତ ପ୍ରତିନିଧିଙ୍କ ସେଭଳି କିଛି ଭୂମିକା ନଥିବା ଅନୁଭବ କରି ଶିକ୍ଷାବିତ୍ ଓ ଅଭିଭାବକଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ବିଜେପି ଓ କଂଗ୍ରେସ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚାନ କରିଛନ୍ତି। ଉଭୟ ଦଳ ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି ବିଜେପି ବିଧାୟକ ସନାତନ ବିଜୁଳି। କହିଛନ୍ତି। ସେହିପରି ବିଜେଡି ନେତାଙ୍କ ଥଇଥାନ ଚଳିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ।

ବିଜେପି ବିଧାୟକ ସନାତନ ବିଜୁଳି ଓ କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ

ଗତକାଲି ମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଡିଗ୍ରୀ କଲେଜ ଗଭର୍ଣ୍ଣିବଡି ଭାଙ୍ଗିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ନୂଆ ଗଭର୍ଣ୍ଣିବଡିର ରୂପରେଖ କ’ଣ ହେବ ତାହା ସ୍ପଷ୍ଟ ହୋଇନି>

You might also like