‘ଗୁଗଲ ମ୍ୟାପ୍ ଦେଖି ବସ୍ ଟର୍ମିନାଲର ନିଆଯାଇଥିଲା ନିଷ୍ପତ୍ତି’
କଟକ: ବିବାଦ ଘେରରେ କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ। ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଆପତ୍ତି ଉଠାଇଛନ୍ତି ଖୋଦ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧୀଙ୍କ ସହ ଆଲୋଚନା ହୋଇ ନଥିବା କହିଛନ୍ତି ଭର୍ତ୍ତୃହରି। କ୍ଷେତ୍ର ପରିଦର୍ଶନ ନକରି, ଗୁଗୁଲ ମ୍ୟାପ୍ ତଥ୍ୟକୁ ଆଧାର କରି ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏସଂପର୍କରେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧୀଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ ମତ ଦେଇଛନ୍ତି।
ସେହିପରି ଖାନନଗରରେ ବସ୍ ଟର୍ମିନାଲ୍ ନିର୍ମାଣ, ଭୌଗୋଳିକ ଦୃଷ୍ଟିରୁ ବି ଠିକ୍ ନୁହେଁ ବୋଲି କହିଛନ୍ତି ଭର୍ତ୍ତୃହରି। ଗୋପାଳପୁରରେ ବସଷ୍ଟାଣ୍ଡ ନିର୍ମାଣ ଲାଗି ୨୦୧୩ରେ ନିଷ୍ପତ୍ତି ହୋଇଥିଲା। ତେବେ କାହା ସ୍ୱାର୍ଥରେ ଓ କଣ ପାଇଁ ଏହାକୁ ଖାନନଗର ସ୍ଥାନାନ୍ତର କରାଗଲା ବୋଲି ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଥିଲେ। ଆଉ ଏବେ ଖୋଦ ନିଜ ଦଳର ସାଂସଦ ଆପତ୍ତି ଜଣାଇବା ପରେ ତେଜିଛି ବିବାଦ। ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।
ବସ୍ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଛନ୍ତି। ନିଷ୍ପତ୍ତି ସଚିବାଳୟରେ ମୁଖ୍ୟ ଶାସନ ସଚିବ ନେଇଛନ୍ତି। ମୁଁ ସେ ଯୋଜନା ସମ୍ପର୍କରେ ଆଦୌ ଅବଗତ ନାହିଁ। ଗୁଗୁଲ ମ୍ୟାପ୍ ଜରିଆରେ ଜମି ଅଧିଗ୍ରହଣ କରିବା ନେଇ ଯୋଜନା ହୋଇଛି କିନ୍ତୁ ବାସ୍ତବରେ ସେମିତି କିଛି ନାହିଁ। ଜନସାଧାରଣଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିଲେ ଭଲ ହୋଇଥାନ୍ତା।
-ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ
କେବଳ ବସଷ୍ଟାଣ୍ଡକୁ ବିରୋଧ କରିନାହୁଁ, ତାହାର ଯଥାର୍ଥତା ଉପରେ ଆମେ ପ୍ରଶ୍ନ କରିଛୁ। ଏହି କଥା ମଧ୍ୟ ତାଙ୍କ ଦଳର ସାଂସଦ ମଧ୍ୟ କହିଛନ୍ତି। ସରକାରୀ ଅଧିକାରୀଙ୍କ ଚଞ୍ଚକତା, ଜମି ମାଫିଆ ଓ ଶାସକ ଦଳ କିଛି ନେତାଙ୍କ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି।
-ପ୍ରକାଶ ବେହେରା, ଜିଲ୍ଲା ବିଜେପି ସଭାପତି
ଜଣେ କଟକର ସାଂସଦ ଅସନ୍ତୋଷ ଜାହିର କରିଛନ୍ତି। ମୁଁ ଭାବୁଛି ଯେ ରାଜନେତା ଓ ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ଏହି ଶିଳାନ୍ୟାସ ହୋଇଛି। ପୂର୍ବରୁ ମଧ୍ୟ ଶିଳନ୍ୟାସ ହୋଇଥିଲା ବୋଲି, ମୁଖ୍ୟମନ୍ତ୍ରୀ ଜାଣିନଥିବେ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଭୁଲ ନିଷ୍ପତ୍ତି।
-ମହମ୍ମଦ ମୁକ୍କିମ୍, କଂଗ୍ରେସ ବିଧାୟକ
ସେପଟେ ସବୁ କଥାକୁ ଅନୁଧ୍ୟାନ କରି ଓ ଉପଯୁକ୍ତ ପରାମର୍ଶ ନେଇ ଏହି ପ୍ରକଳ୍ପ କରାଯାଉଛି। ଏହାଦ୍ୱାରା କଟକର ଗୌରବ ବଢିବ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁବାଷ ସିଂ।
ଏଣେ ପ୍ରସ୍ତାବିତ ବସ ଟର୍ମିନାଲକୁ ନେଇ ସ୍ଥାନୀୟ ଅଞ୍ଚଳରୁ ବି ଉଠିଲାଣି ବିରୋଧର ସ୍ୱର। ବସ ଟର୍ମିନାଲ ନିର୍ମାମ ଲାଗି ଏଠାରେ ଥିବା ଲାଇବ୍ରେରି, ଧାର୍ମିକ ଅନୁଷ୍ଠାନ, ବିକାଶ ଊଭନ ଓ ପାର୍କ ଭଙ୍ଗାଯିବା ପ୍ରସ୍ତାବକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି।
୨୦୧୩ରେ କଟକ ଗୋପାଳପୁର ବାଲିକୁଦାରେ ବସ୍ ଟ୍ରମିନାଲ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ୪୩ ଏକର ଜାଗାରେ ବିରାଟ ବସ ଟର୍ମିନାଲ୍ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ୮ ବର୍ଷ ପରେ ମଧ୍ୟ ନିର୍ମାଣର ନାଁଗନ୍ଧ ନଥିବା ବେଳେ ଏବେ ହଠାତ କାହିଁକି ସ୍ଥାନ ବଦଳିଲା ଏବଂ ଖାନନଗରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ କେତେଦୂର ବର୍ତ୍ତମାନର ଆବଶ୍ୟକତାକୁ ମେଣ୍ଟାଇବ, ତାକୁ ନେଇ ଉଠିଛି ପ୍ରଶ୍ନ।