• translate
Rajalaxmi Sahoo

ଭୁବନେଶ୍ୱର: ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ସ୍ୱପ୍ନ ପୂରଣ କରିବ ଝିଅ। ଯାହା ବାପାମା’ କରି ପାରି ନାହାନ୍ତି ତାକୁ ପୂରଣ କରିବା ସହ ଦୁନିଆରେ ବଞ୍ଚି ରହିବା ପାଇଁ ସାହା ହେବ ଝିଅ। ଏପରି କିଛି ଆଶା ଓ ସ୍ୱପ୍ନ ଦେଖିଥିଲେ ରାଜଧାନୀ ଭୁବନେଶ୍ୱର ଭରତପୁରରେ ରହୁଥିବା ଦିବ୍ୟାଙ୍ଗ ଦମ୍ପତ୍ତି ଅଶୋକ ନାୟକ ଓ ପତ୍ନୀ ସୁମିତ୍ରା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଏକମାତ୍ର ସାହାରା ଦୁଇ ବର୍ଷର କୁନି ଝିଅର ଏବେ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଏକ ଛୋଟିଆ ଦୁର୍ଘଟଣା ପରେ ଝିଅଟିର ଆଖି ନଷ୍ଟ ହୋଇଯାଇଥିଲା।

ଅଶୋକ ଓ ସୁମିତ୍ରା ଉଭୟ ଦିବ୍ୟାଙ୍ଗ। ସେମାନେ ଶତପ୍ରତିଶତ ଦୃଷ୍ଟି ବାଧିତ। ସ୍ୱାମୀ, ସ୍ତ୍ରୀ ଜଣେ ଅନ୍ୟ ଜଣକୁ ସହାୟତା କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ବିବାହ ପରେ ସେମାନଙ୍କ ଦୁନିଆରେ ସାମିଲ ହୋଇଥିଲା ଝିଅ ପୂଜା। ସେ ଆସିବା ପରେ ପରିବାରରେ ଖୁସିର ଲହରି ଖେଳି ଯାଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଜନ୍ମର କିଛି ମାସ ପରେ ପୂଜା ସହ ଘଟିଥିବା ଏକ ଦୁର୍ଘଟଣା ଯୋଗୁ ତା’ ମୁଣ୍ଡରେ ଆଘାତ ଲାଗି ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ସେବେଠୁ ପୂଜା ଗୋଟିଏ ଆଖିରେ ଦୁନିଆ ଦେଖୁଛି।

ପୂଜାଙ୍କୁ ଏବେ ବୟସ ପ୍ରାୟ ଦୁଇ ବର୍ଷ। ବାମ ଆଖି ନଷ୍ଟ ହେବା ପରେ ଅନ୍ୟ ଆଖିଟି ବି ନଷ୍ଟ ହେବାକୁ ବସିଲାଣି। ଉନ୍ନତମାନର ଚିକିତ୍ସା କରି ପୂଜାଙ୍କ ଆଖିକୁ ସୁରକ୍ଷିତ ରଖି ହେବ ବୋଲି ଡାକ୍ତର କହିଛନ୍ତି। କିନ୍ତୁ ଏଥିପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡ଼ିଛି। ଫଳରେ ପୂଜାଙ୍କୁ ଚିକିତ୍ସା କିପରି କରାଇବେ, ସେନେଇ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଚିନ୍ତା ବଢ଼ିଛି। କାରଣ ଅଶୋକ ଓ ସୁମିତ୍ରା ଉଭୟ ଷ୍ଟେସନ୍ ଓ ବସ୍‌ଷ୍ଟାଣ୍ଡରେ ବୁଲିବୁଲି ବହି, ମାଗାଜିନ୍ ବିକ୍ରି କରନ୍ତି। ସେଥିରୁ ଯାହା ଦି ପଇସା ମିଳେ ସେଥିରେ ତେଲ ଲୁଣ ସଂସାର ଚାଲେ। ଏବେ ଝିଅର ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଭାଲେଣୀ ପଡ଼ିଲାଣି।  କାରଣ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଆର୍ଥିକ ସ୍ଥିତି ଏପରି କି ଦୁଇ ଓଳା ଖାଇବା ଯୋଗାଡ଼ କରିବା କଷ୍ଟକର।

ଯଦି,କୌଣସି ସହୃଦୟ ବ୍ୟକ୍ତି ଓ ସଂଗଠନ ପୂଜାଙ୍କ ଚିକିତ୍ସା ପାଇଁ ହାତ ବଢ଼ାଇବେ ତେବେ ଝିଅ ନିଜ ଆଖି ଫେରି ପାଇବ ବୋଲି ଦମ୍ପତି କହିଛନ୍ତି।

Other Stories