ଦାରିଦ୍ର୍ୟର କଷାଘାତ ଭିତରେ ପରିବାରର ୩ ଦିବ୍ୟାଙ୍ଗ

ବାପାମାଆ ପାରାଲିସିସ୍ ଆକ୍ରାନ୍ତ ହୋଇଥିବା ବେଳେ ଏକମାତ୍ର ପୁଅ ଜନ୍ମରୁ ମସ୍ତିଷ୍କ ରୋଗରେ ପୀଡ଼ିତ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ଗୋଟିଏ ପଟେ ଦାରଦ୍ର୍ୟତା, ଅନ୍ୟପଟେ ପରିବାରରେ ତିନି ତିନି ଜଣ ଦିବ୍ୟାଙ୍ଗ। ଏହି ଭଳି ସ୍ଥିତିକୁ ନେଇ ଚିନ୍ତାରେ ପୂରା ପରିବାର। ଲୁହ ପୋଛିବାକୁ କେହି ନାହାନ୍ତି। ଜଣେ ଜଣକୁ ସାହାଯ୍ୟ କରିବାକୁ ଅକ୍ଷମ। ଏ ଦୁଃଖଦ କାହାଣୀ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସୁବର୍ଣ୍ଣପାଲି ଗାଁର ସଚ୍ଚିକାନ୍ତ ବଗର୍ତ୍ତିଙ୍କ ପରିବାରର। ବର୍ତ୍ତମାନ ଭଗବାନଙ୍କ ଭରସାରେ ପଡ଼ି ରହିଛନ୍ତି ତିନିପ୍ରାଣୀ କୁଟୁମ୍ବ। ଗରିବ ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର କରୁଛନ୍ତି ଅନେକ ଜନ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଏହି ପରିବାର ନିକଟରେ ସବୁ ଯୋଜନା ଅପହଞ୍ଚ।

ଆଗରୁ ସଚ୍ଚିକାନ୍ତ କୁଲିମଜୁରୀ କରି ଏକମାତ୍ର ପୁଅ ଓ ସ୍ତ୍ରୀଙ୍କ ସହ ହସ ଖୁସିରେ ଦିନ କାଟୁଥିଲେ।ହେଲେ ଚାରିମାସ ହେବ ସେ ପାରାଲିସିସ୍ ରୋଗରେ ପୀଡିତ ହୋଇ ଚଲାବୁଲା କରି ପାରୁନାହାନ୍ତି। ଏକମାତ୍ର ପୁଅ ରାଜେନ୍ଦ୍ର ଜନ୍ମରୁ ମସ୍ତିସ୍କ ରୋଗରେ ପୀଡିତ। ହେଲେ ଏତିକିରେ ସରିନି ପରିବାରର ଦୁଃଖ। ଗୋଟିଏ ବର୍ଷ ହେବ ସଚ୍ଚିକାନ୍ତଙ୍କ ସ୍ତ୍ରୀ ଲଳିତା ମଧ୍ୟ ପାରାଲିସିସ୍ ରୋଗରେ ପୀଡିତ ହୋଇ ଉଠିବସି ପାରୁ ନାହାନ୍ତି। ଫଳରେ ଗୁରୁଣ୍ଡି ଘୋଷାଡ଼ି ଯିବା ଆସିବା କରୁଛନ୍ତି। ଆଗରୁ ରୋଷେଇବାସ କରି ସ୍ୱାମୀ ଓ ପୁଅକୁ ଖାଇ‍ବାକୁ ଦେଉଥିଲେ। ଏବେ ସେତିକି ବି କରିପାରୁ ନାହାନ୍ତି। ଉଭୟ ସ୍ୱାମୀସ୍ତ୍ରୀ ପାରାଲିସିସ୍ ରୋଗରେ ପୀଡିତ ହୋଇ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ।

ସଚ୍ଚିକାନ୍ତଙ୍କ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଯାହାକିଛି ଥିଲା ବିକିଭାଞ୍ଜି ଚିକିତ୍ସାରେ ସବୁ ସାରିଦେଲେଣି। ହାତରେ ଏବେ ଫୁଟି କଉଡ଼ିଟିଏ ନାହିଁ। ଚିକିତ୍ସା କରିନପାରି ସ୍ୱାମୀ,ସ୍ତ୍ରୀ ଓ ପୁଅ ଭଗବାନ ଭରସାରେ ଘରେ ପଡି ରହିବା ହିଁ ସାର। ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡ଼ୁଛି। ସାହି ପଡିଶା ଲୋକେ ଦୁଇ ମୁଠା ଖାଇବାକୁ ଦେଲେ ଖାଉଛନ୍ତି। ନହେଲେ ପେଟରେ ଓଦାକନା ଦେଇ ଭୋକ ଉପାସରେ ଶୋଉଛନ୍ତି । କାହା ଆଖିରୁ ଲୁହ ପୋଛିବାକୁ କେହି ସକ୍ଷମ ନୁହଁନ୍ତି। ନା ଚିକିତ୍ସା ପାଇଁ ସେମାନେ କୁଆଡ଼େ ପାରୁଛନ୍ତି।  ନା ତାଙ୍କୁ କେହି ସହଯୋଗର ହାତ ବଢାଉଛନ୍ତି।ଦଇବ ଯେପରି ପୂରା ପରିବାର ଉପରେ ଦାଉ ସାଧୁଛି।

ସେପଟେ ବିନିକା ବ୍ଲକ ଅଧ୍ୟକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବ ଶୀଘ୍ର ଏହି ପରିବାରକୁ ସାହାଯ୍ୟ କରାଯିବ। ଏଠାରେ ପ୍ରଶ୍ନ ଉଠୁଛି କି ଗରିବ, ଅସହାୟଙ୍କ ପାଇଁ  ସରକାର ମାଳ ମାଳ ଯୋଜନା। ହେଲେ ସେସବୁ ପ୍ରକୃତ ହିତାଧିକାରୀ ପହଞ୍ଚିପାରୁନି। ଫଳରେ ଏପରି ପରିବାର ଅସହାୟ ଅବସ୍ଥାରେ ପଡି ରହିଥିବା ବାଧ୍ୟ ହେଉଛନ୍ତି।

You might also like