ଏଣିକି ସ୍ମାର୍ଟ ଠିକଣା ପାଇବେ ରାଜଧାନୀବାସୀ

ଭୁବନେଶ୍ୱର: ସ୍ମାର୍ଟ ସିଟିବାସୀଙ୍କ ଘରେ ଲାଗିବ ସ୍ମାର୍ଟ ନମ୍ବର।  ସ୍ମାର୍ଟ ନମ୍ବର ଲାଗିଲେ ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ। ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର। ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ।  ଏହି ନମ୍ବର ପାଖରେ ଥିଲେ ଠିକଣା ଖୋଜିବାକୁ ବି କୌଣସି ଅସୁବିଧା ହେବନି।

ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍ ଦେବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି । ଘର ଠିକଣା ଲେଖିବା ବେଳେ ଲେନ୍ ନମ୍ବର, ଲ୍ୟାଣ୍ଡ ମାର୍କ, ପ୍ଲଟ୍ ନମ୍ବର ଲେଖିବାକୁ ପଡ଼ିଥାଏ। କିନ୍ତୁ ଏହି ବ୍ୟବସ୍ଥା ହେବା ପରେ କେବଳ ଅଞ୍ଚଳର କୋଡ୍, ଘର ନମ୍ବର ଏହାସହ ଷ୍ଟ୍ରିଟ୍ ନମ୍ବର ଲେଖା ରହିବ। ବିଏମ୍‌ସି ପକ୍ଷରୁ ଏଥିପାଇଁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ଼  ବି ରହିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କଠୁ ଡାଟା ସଂଗ୍ରହ କରାଯାଇଛି।

ପରୀକ୍ଷାମୂଳକ ଭାବେ ବର୍ତ୍ତମାନ ୬,୨୩,୩୦ ନମ୍ବର ୱାର୍ଡରେ ଜିଓ ଟ୍ୟାଗିଂ ଆରମ୍ଭ ହୋଇଛି। ଆସନ୍ତା କିଛି ଦିନରେ ପୂରା ଭୁବନେଶ୍ୱରରେ ଡିଜିଟାଲ୍ ଡୋର୍ ନମ୍ବର ପାଇଁ ସର୍ଭେ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୩ କୋଟି ୯୭ ଲକ୍ଷ ଟଙ୍କା।

ଫେବ୍ରୁଆରୀ ୧୩ରୁ ଭୁବନେଶ୍ୱରରେ ଡିଜିଟାଲ ଡୋର ନମ୍ବର ପାଇଁ ସର୍ଭେ ଆରମ୍ଭ ହେବ। ୩ ମାସ ମଧ୍ୟରେ ସର୍ଭେ କାମ ସାରିବାକୁ ବିଏମ୍‌ସି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଅନୁସାରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅଧା ରାଜଧାନୀକୁ ଏଥିସହ ଯୋଡ଼ିଯିବ।

ସୂଚନା ଥାଉ କି, ଅଳ୍ପଦିନ ତଳେ ଭୁବନେଶ୍ୱରର ସବୁ ହାଟକୁ ସ୍ମାର୍ଟ ହାଟରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଖାଲି ସ୍ମାର୍ଟ ହାଟ ନୁହେଁ, ରାଜ୍ୟ ସ୍ତରୀୟ ମଡେଲ୍‌ ହାଟ କରାଯିବ ବୋଲି କହିଥିଲେ । ଏଥିସହିତ ରାଜଧାନୀରେ ସ୍ୱତନ୍ତ୍ର ଓ ଶୀତତାପ ନିୟନ୍ତ୍ରିତ ମାଛ ମାର୍କେଟ ଓ ପାର୍କିଂ ସ୍ଥଳ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ୮ ଏକର ୧୬୨ ଡେସିମିଲର ଡମଣା ହାଟକୁ ରାଜ୍ୟସ୍ତରୀୟ ମଡେଲ ହାଟରେ ପରିଣତ କରାଯିବ । ହାଟର ବିକାଶ କାମ ଭୁବନେଶ୍ୱର ମହାନଗର ନିଗମ କରିବ ବୋଲି କୁହାଯାଇଥିଲା।

You might also like